Road Condition:ପ୍ରତିଶ୍ରୁତିରେ ଅଟକିଛି ରାସ୍ତା
ରାସ୍ତା ଅଛି, ହେଲେ ଯାତାୟାତ ସହଜ ନୁହେଁ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ଖାଲଖମା ଭର୍ତ୍ତି ରାସ୍ତାରେ ପ୍ରତିଦିନ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ୫ ପଞ୍ଚାୟତର ଲୋକେ। ବର୍ଷ ବର୍ଷର ଗୁହାରି ପରେ ଏବେ ମିଳିଛି ନିର୍ମାଣର ପ୍ରତିଶ୍ରୁତି।
କେନ୍ଦୁଝର:ରାସ୍ତାରେ ପାଦେ ପାଦେ ବିପଦ। କେଉଁଠି ବଡ଼ ବଡ଼ ଖାଲ ତ ଆଉ କେଉଁଠି ଉଠିଯାଇଛି ଚିପ୍ସ ଓ ମେଣ୍ଟାଲ। ଦୀର୍ଘ ବର୍ଷ ହେଲା ମରାମତି ହୋଇନଥିବାରୁ ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ୫ଟି ପଞ୍ଚାୟତର ଲୋକେ। ଆଙ୍କୁଡ଼ିଠାରୁ ଜଜପଶି ଗାଁ ପର୍ଯ୍ୟନ୍ତ ରାସ୍ତାର ଏଭଳି ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ତେଜିଛି ଅସନ୍ତୋଷ। ଚମ୍ପୁଆ ବ୍ଲକ ଷଡ଼ଙ୍ଗୀ ପଞ୍ଚାୟତ ଅନ୍ତର୍ଗତ ଏହି ରାସ୍ତା ଉପରେ ଷଡ଼ଙ୍ଗୀ, ଜାଲି, ପଡୁଆ ଓ ଭୁଇଁପୁର ସମେତ ୫ଟି ପଞ୍ଚାୟତର ଅଧିବାସୀ ନିର୍ଭର କରନ୍ତି। ହେଲେ ରାସ୍ତାର ଅବସ୍ଥା ଏବେ ଏମିତି ଯେ, ଜରୁରୀ ସମୟରେ ଗାଁକୁ ଆମ୍ବୁଲାନ୍ସ ପହଞ୍ଚିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ବର୍ଷା ହେଲେ ଖାଲଖମାରେ ପାଣି ଜମି ଛୋଟ ଛୋଟ ପୋଖରୀର ଭ୍ରମ ସୃଷ୍ଟି କରୁଛି। ଫଳରେ ଖାଲ ଜାଣି ନପାରି ଦୁର୍ଘଟଣାର ଶିକାର ହେଉଛନ୍ତି ଯାତ୍ରୀ।
ପୂର୍ବରୁ ଏହି ରାସ୍ତା ଚମ୍ପୁଆ ବ୍ଲକ ଅଧୀନରେ ଥିବାବେଳେ ଏବେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇଛି। ରାସ୍ତାର ପୁନଃ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗଠାରୁ ଆରମ୍ଭ କରି ବିଧାୟକ ଓ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରିଛନ୍ତି ଗ୍ରାମବାସୀ। ହେଲେ ଏଯାଏଁ ସମସ୍ୟାର ସମାଧାନ ହୋଇନାହିଁ। ଅନ୍ୟପଟେ ରାସ୍ତା କାମ ପାଇଁ ସର୍ଭେ ସରିଛି ଏବଂ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଚମ୍ପୁଆ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ। ତେବେ କେବେ ମିଳିବ ଏହି ରାସ୍ତାରୁ ମୁକ୍ତି, ତାହାକୁ ଅପେକ୍ଷା କରିଛନ୍ତି ୫ ପଞ୍ଚାୟତର ଗ୍ରାମବାସୀ।
