ରାସଗୋବିନ୍ଦପୁର ବନାଞ୍ଚଳରେ ଥମୁନି ହାତୀ ଆତଙ୍କ
ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବନାଞ୍ଚଳରେ ଥମୁନି ହାତୀ ଆତଙ୍କ, ଘର ଭାଙ୍ଗି ଫସଲ ନଷ୍ଟ। ଚିନ୍ତାରେ ଚାଷୀ।

ରାସଗୋବିନ୍ଦପୁର: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବନାଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନାହିଁ। ଦିନକୁ ଦିନ ହାତୀପଲ ଜନବସତି ମୁହାଁ ହେଉଥିବା ବେଳେ ଗତରାତିରେ ଖୁଣ୍ଟାପାଳ ଓ ମାଣିଦା ପଞ୍ଚାୟତର ବିଭିନ୍ନ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ହାତୀଙ୍କ ଗର୍ଜନ ଓ ଘର ଭାଙ୍ଗିବାର ଶବ୍ଦରେ ଗ୍ରାମବାସୀ ରାତିସାରା ଭୟଭୀତ ହୋଇ ଅନିଦ୍ରାରେ ରହିଥିଲେ। ଖୁଣ୍ଟାପାଳ ପଞ୍ଚାୟତ ଅଧୀନ ଭେଡିସାହି ଗ୍ରାମର ରାମ ମୁର୍ମୁ ଓ ଦୁଃଖିନୀ ହେମ୍ବ୍ରମଙ୍କ ଘର ସମେତ ରଖଣିସାହି ଗ୍ରାମର ରାଜନ ହାଁସଦାଙ୍କ ଘର ହାତୀ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି। ସେହିପରି ମାଣିଦା ପଞ୍ଚାୟତର ନୂଆସାହି ଗ୍ରାମର ସିଙ୍ଗରାୟ ମୁର୍ମୁଙ୍କ ଘରେ ପଶି ହାତୀପଲ ବ୍ୟାପକ ସାମଗ୍ରୀ ନଷ୍ଟ କରିଛନ୍ତି।
ଘର ଭାଙ୍ଗିବା ସହ ଚାଷଜମିରେ ପଶି ଧାନ ଓ ଅନ୍ୟାନ୍ୟ ଫସଲ ଦଳିଚକଟି ନଷ୍ଟ କରିଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ, ମୂଷାମାରି ଡାହିସାହି ନିକଟରେ ଟ୍ରାକ୍ଟର ଯୋଗେ ବାଉଁଶ ଟଣାଯାଉଥିବା ବେଳେ ହଠାତ୍ ଏକ ହାତୀ ସେଠାରେ ପହଞ୍ଚି ଆକ୍ରମଣ କରିଥିଲା। ଭୟରେ ଡ୍ରାଇଭର ଟ୍ରାକ୍ଟର ଛାଡ଼ି ଦୌଡ଼ି ପଳାଇଥିଲେ। ହାତୀଟି ଦୀର୍ଘ ସମୟ ଧରି ଟ୍ରାକ୍ଟରକୁ ଠେଲିବା ସହ ଏଥିରେ ଲାଗିଥିବା ରଶିକୁ ଶୁଣ୍ଢରେ ଧରି ଟାଣିବାକୁ ଚେଷ୍ଟା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। କ୍ରମାଗତ ହାତୀ ଉପଦ୍ରବକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ବଢ଼ିବାରେ ଲାଗିଛି। ହାତୀଙ୍କୁ ଘଉଡ଼ାଇବା ସହ ଲୋକଙ୍କ ଜୀବନ ଓ ଧନସମ୍ପତ୍ତିର ସୁରକ୍ଷା ପାଇଁ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।
