Rape Cases In Delhi:ଦିଲ୍ଲୀ ଦୁଷ୍କର୍ମ ସୀମା ପାର୍: ସଂଜ୍ଞାନ ନେଲେ ସୁପ୍ରିମକୋର୍ଟ
୨୦୧୨ ନିର୍ଭୟା କାଣ୍ଡର ପୁନରାବୃତ୍ତି? କଣ ୧୪ ବର୍ଷ ପରେ ବି ବଦଳିନି ସ୍ଥିତି ? ଦିଲ୍ଲୀ ରେ ବଢୁଥିବା ଦୁଷ୍କର୍ମ ମାମଲାକୁ ନେଇ ଉଠୁଛି ଅନେକ ପ୍ରଶ୍ନ | ମହିଳା ଆଉ ନାବାଳିକା ତ ଛାଡ ଶିଶୁ କନ୍ୟା ଉପରେ ମଧ୍ୟ ଦିଲ୍ଲୀର ଯୌନ ଶିକାରୀଙ୍କ ନଜର | ସରକାର ଠୁ ପ୍ରଶାସନ ଯାଏଁ, ସହାନଭୂତି ସମସ୍ତଙ୍କ ପାଖରେ ହେଲେ ଜବାବ ଶୂନ୍ୟ | ବିଫଳ ଆଇନ ଶୃଙ୍ଖଳା କାରଣରୁ ସୁପ୍ରିମକୋର୍ଟର ବଡ ପଦକ୍ଷେପ | ଦିଲ୍ଲୀ-NCR ଅଞ୍ଚଳରେ ଦିନକୁ ଦିନ ବଢ଼ୁଥିବା ଯୌନ ନିର୍ଯାତନା ଘଟଣାକୁ ନେଇ ସୁପ୍ରିମକୋର୍ଟ ସ୍ୱତଃପ୍ରବୃତ୍ତ (Suo Motu) ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି | ଦିଲ୍ଲୀ ପୋଲିସଠୁ ଜବାବ ତଲବ |
ନୂଆଦିଲ୍ଲୀ:ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳ (NCR) ରେ କମ୍ ହେଉନି ଗଣଧର୍ଷଣ ସଂଖ୍ୟା | ଭୁଶୁଡ଼ି ପଡିଛି ରାଜଧାନୀରେ ମହିଳା ଓ ଶିଶୁ ସୁରକ୍ଷା ବ୍ୟବସ୍ଥା | କ୍ରମାଗତ ଭାବେ ଘଟୁଥିବା ଦୁଷ୍କର୍ମ ଓ ଯୌନ ନିର୍ଯାତନା ମାମଲାକୁ ନେଇ ସୁପ୍ରିମକୋର୍ଟ ସ୍ୱତଃପ୍ରବୃତ୍ତ (Suo Motu) ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି | ଦିଲ୍ଲୀରେ ବଢିଚାଲିଥିବା ବର୍ବର ଘଟଣାବଳୀର ରିପୋର୍ଟ ଆଧାରରେ,ବିଚାରପତି ଜେ.ବି. ପାର୍ଦ୍ଦିୱାଲା ଏବଂ ବିଚାରପତି କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ନିଷ୍ପତି ନେଇଛନ୍ତି | ଆଇନ ଶୃଙ୍ଖଳାର ବିଫଳତା ଉପରେ ଟିପ୍ପଣୀ କରିବା ସହ, ୨୦୧୨ ମସିହାର ହୃଦୟବିଦାରକ 'ନିର୍ଭୟା' କାଣ୍ଡ ସହ ବର୍ତ୍ତମାନର ଘଟଣାଗୁଡ଼ିକର ସମାନ୍ତରାଳ ତୁଳନା କରିଛନ୍ତି ସୁପ୍ରିମକୋର୍ଟ | ଦେଶରେ ଦୁଷ୍କର୍ମ ବିରୋଧୀ ଆଇନକୁ କଡ଼ାକଡ଼ି କରାଯାଇଥିଲେ ସୁଦ୍ଧା କୌଣସି ଆଖିଦୃଶିଆ ସୁଧାର ଆସିନାହିଁ ବୋଲି ପ୍ରଶାସନ ଉପରେ ବର୍ଷିଛନ୍ତି ଅଦାଲତ |
ନିକଟରେ ଦିଲ୍ଲୀରେ ଘଟିଥିବା କିଛି ଲୋମହର୍ଷକାରି ଘଟଣା ଭାରତୀୟ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠାଇଛି | ଏଥିରେ ଦିଲ୍ଲୀର ସ୍ୱରୂପ ନଗରରେ ଏକ କିଶୋରୀକୁ ଗଣଦୁଷ୍କର୍ମ ପରେ ହତ୍ୟା କରି ବିଲରେ ଶବ ଫିଙ୍ଗିଦେବା, କଲ୍କାଜୀ ମନ୍ଦିର ନିକଟସ୍ଥ ଏକ ପାର୍କରେ ନାବାଳିକା ସହ ଗଣଦୁଷ୍କର୍ମ, ଏବଂ ଗ୍ରେଟର ନୋଇଡାରୁ ଦିଲ୍ଲୀ ଆସୁଥିବା ଏକ ସ୍ଲିପର ବସରେ ୧୬ ବର୍ଷୀୟା ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯିବା ଏବଂ ପୋଲିସ ୪୭ କିଲୋମିଟର ପର୍ଯ୍ୟନ୍ତ ଗାଡ଼ିକୁ ଅଟକାଇବାରେ ବିଫଳ ହେବା ଭଳି ଘଟଣା ସାମିଲ ରହିଛି। ପ୍ରଶାସନର ନିଷ୍କ୍ରିୟତା ଦର୍ଶାଇ ସର୍ବୋଚ୍ଚ ଅଦାଲତ ଏହି ସମସ୍ତ ମାମଲାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଖଣ୍ଡପୀଠ ଏହି ସମଗ୍ର ଘଟଣା ଉପରେ ଦିଲ୍ଲୀ ପୋଲିସ ଏବଂ ସମ୍ପୃକ୍ତ ପ୍ରଶାସନକୁ ନୋଟିସ ଜାରି କରି ତୁରନ୍ତ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସମ୍ବିଧାନର ଧାରା ୨୧ ଅନୁଯାୟୀ, ଭୟମୁକ୍ତ ପରିବେଶରେ ସମ୍ମାନର ସହ ବଞ୍ଚିବାର ଅଧିକାର ପ୍ରତ୍ୟେକ ନାଗରିକଙ୍କର ଅଛି ମାତ୍ର ଉପଯୁକ୍ତ ଆଲୋକୀକରଣ ଏବଂ ସିସିଟିଭି ନଜର ଅଭାବରୁ କିଛି ସ୍ଥାନ ଅପରାଧୀଙ୍କ ଅଡ୍ଡା ପାଲଟି ଯାଉଛି | ଅଧିକାରୀମାନଙ୍କର କେବଳ ସହାନୁଭୂତି ଦେଖାଇବା ଯଥେଷ୍ଟ ନୁହେଁ, ଅପରାଧ ରୋକିବାରେ ବିଫଳ ହୋଇଥିବା ପୋଲିସ ଓ ପ୍ରଶାସନିକ କର୍ତ୍ତୃପକ୍ଷଙ୍କୁ ଜବାବ ଦେବାକୁ ସ୍ପଷ୍ଟ ଶବ୍ଦରେ କହିଛନ୍ତି କୋର୍ଟ |
