Horror in Telkoi:ଦୁଷ୍କର୍ମ ପରେ ଜୀବନ ହାରିଲେ ଆଦିବାସୀ ମହିଳା
ହାଟକୁ ଯାଇଥିବା ଜଣେ ଜୁଆଙ୍ଗ ବୃଦ୍ଧାଙ୍କ ସହ ଘଟିଲା ଅମାନବୀୟ ଘଟଣା। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିବା ପରେ ତେଲକୋଇରେ ଚାଞ୍ଚଲ୍ୟ। କିଏ ସେହି ଦୁର୍ବୃତ୍ତ?
ହାଟକୁ ଯାଇଥିଲେ ଦୁଇ ପଇସାର ଜିନିଷ କିଣିବାକୁ, ହେଲେ ଫେରିଲେନି ଘରକୁ। ଦୁର୍ବୃତ୍ତଙ୍କ ଅମାନବୀୟ ଆକ୍ରମଣର ଶିକାର ହେଲେ ଜଣେ ଅସହାୟ ଜୁଆଙ୍ଗ ଜନଜାତିର ବିଧବା ବୃଦ୍ଧା। ଦୁଷ୍କର୍ମ ଅଭିଯୋଗ ପରେ ଜୀବନ ସହ ସଂଘର୍ଷ କରି ଶେଷରେ ହସ୍ପିଟାଲରେ ଆଖି ବୁଜିଲେ। କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ଏହି ଘଟଣା ଅଞ୍ଚଳରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି।
ସୂଚନା ଅନୁସାରେ, ଗତ ମଙ୍ଗଳବାର ବୃଦ୍ଧା ଜଣକ ସାପ୍ତାହିକ ହାଟକୁ ଆସିଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ଗତକାଲି ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ଘଟଣାକୁ ନେଇ ତେଲକୋଇ ଥାନାରେ FIR ନମ୍ବର ୩୬୪/୨୬ରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ପୋଲିସ ତିନୋଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ନମୁନା ସଂଗ୍ରହ କରିବା ସହ ତଦନ୍ତ ଚଳାଇଛି। ଜଣେ ନିରୀହ ବୃଦ୍ଧାଙ୍କ ସହ ଏଭଳି ଘଟଣା କିଏ ଓ କାହିଁକି ଘଟାଇଲା, ତାହା ଏବେ ବଡ଼ ପ୍ରଶ୍ନ। ଅଭିଯୁକ୍ତଙ୍କ ଗିରଫ ଏବଂ ପୀଡ଼ିତାଙ୍କୁ ନ୍ୟାୟ ଦେବା ଦିଗରେ ପୋଲିସର ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର।
