Mayurbhanj Murder:ରକ୍ତ ସମ୍ପର୍କରେ ରକ୍ତର ଛିଟା
ପାରିବାରିକ କଳହରୁ ବଡ଼ଭାଇଙ୍କୁ ବାଡ଼ିରେ ପିଟି ହତ୍ୟା କରିଥିବା ଅଭିଯୋଗ। ମୟୂରଭଞ୍ଜ ଜିଲ୍ଲା କବାଟଶୋଳ ଗାଁରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା। ମୃତଦେହ ପୋଡ଼ିବା ପୂର୍ବରୁ ପହଞ୍ଚି ଜବତ କରିଛି ପୋଲିସ।
ମୟୂରଭଞ୍ଜ: ପାରିବାରିକ କଳହରୁ ରକ୍ତାକ୍ତ ହତ୍ୟାକାଣ୍ଡ ଅଭିଯୋଗ। ରକ୍ତର ସମ୍ପର୍କରେ ଲାଗିଛି ରକ୍ତର ଛିଟା। ନିଜ ସାନଭାଇ ଓ ପୁତୁରାଙ୍କ ମାଡ଼ରେ ବଡ଼ଭାଇଙ୍କ ମୃତ୍ୟୁ ହୋଇଥିବା ନେଇ ଆସିଛି ସଙ୍ଗିନ ଅଭିଯୋଗ। ଏଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଧୀନ ଉମାଦେଇପୁର ପଞ୍ଚାୟତର କବାଟଶୋଳ ଗ୍ରାମରେ ଘଟିଛି। ମୃତକ ହେଉଛନ୍ତି ରାମରାୟ ସିଂ। ମୃତକଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, ଗତ ରାତି ପ୍ରାୟ ୯ଟା ସମୟରେ କୌଣସି ପାରିବାରିକ କଥାକୁ ନେଇ ରାମରାୟଙ୍କ ସହ ତାଙ୍କ ସାନଭାଇ ରାମଜିତ୍ ସିଂ ଓ ପୁତୁରା ରାଜେଶ ସିଂଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହି ବିବାଦ ଉଗ୍ର ରୂପ ନେବାରୁ ଉଭୟ ମିଶି ରାମରାୟଙ୍କୁ ବାଡ଼ିରେ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି। ଏହି ଆକ୍ରମଣରେ ରାମରାୟଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ ଘଟଣାକୁ ଚାପି ଦେବା ପାଇଁ ମୃତଦେହ ପୋଡ଼ିବାକୁ ଉଦ୍ୟମ ହେଉଥିବା ମଧ୍ୟ ଅଭିଯୋଗ ଆସିଛି। ଆଜି ମୃତଦେହ ସତ୍କାର ପାଇଁ ଗଛ କଟାଯାଉଥିବା ସମୟରେ ଏନେଇ ଖବର ପାଇଥିଲା ଝାରପୋଖରିଆ ପୋଲିସ। ତୁରନ୍ତ ପୋଲିସ ଗାଁରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ଏହି ଘଟଣାରେ ପୋଲିସ ରାମଜିତ୍ ସିଂ ଓ ରାଜେଶ ସିଂଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ କେଉଁ କାରଣରୁ ଏଭଳି ରକ୍ତାକ୍ତ ଘଟଣା ଘଟିଲା ଏବଂ ଏହା ପଛରେ ଆଉ କିଛି କାରଣ ରହିଛି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଛି। ତଦନ୍ତ ପରେ ହିଁ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।
