Boudh Murder Mystery : ୫ ଦିନର ରହସ୍ୟ ଖୋଲିଲା, ଜଙ୍ଗଲରୁ ମିଳିଲା ଶବ
୫ ଦିନ ଧରି ନିଖୋଜ ଥିବା ବୌଦ୍ଧର ଯୁବ ବ୍ୟବସାୟୀ ବିରୂପାକ୍ଷ ଅଗ୍ରୱାଲଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର। ଟଙ୍କା କାରବାରକୁ ନେଇ ହତ୍ୟା ସନ୍ଦେହ, ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟମାନେ ଗିରଫ।

୫ ଦିନର ରହସ୍ୟରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଜଙ୍ଗଲରୁ ମିଳିଲା ବ୍ୟବସାୟୀଙ୍କ ମୃତଦେହ | ବୌଦ୍ଧ ସହରର ନିଖୋଜ ଯୁବ କପଡ଼ା ବ୍ୟବସାୟୀ ବିରୂପାକ୍ଷ ଅଗ୍ରୱାଲଙ୍କ ମୃତଦେହ ୫ ଦିନ ପରେ ଜଙ୍ଗଲରୁ ଉଦ୍ଧାର ହୋଇଛି। ବୌଦ୍ଧ-ରେଢ଼ାଖୋଲ ରାସ୍ତାର କଦଳୀଗଡ଼ ନିକଟସ୍ଥ ତନ୍ତଗାଡ଼ ଜଙ୍ଗଲରୁ ତାଙ୍କ ମୃତଦେହ ମିଳିଛି। ତାଙ୍କୁ ମାଡ଼ ମାରି ହତ୍ୟା କରାଯାଇଥିବା ପ୍ରାଥମିକ ସୂଚନା ମିଳିଛି। ଘଟଣାସ୍ଥଳରେ ବୌଦ୍ଧ ଏସ୍ପି ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି। ହତ୍ୟା ପଛର କାରଣ ଖୋଜିବା ସହ ଅଭିଯୁକ୍ତଙ୍କ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ, ୩୦ ବର୍ଷୀୟ ବିରୂପାକ୍ଷ ଗତ ନଭେମ୍ବର ୧୨ ତାରିଖ ସକାଳ ପ୍ରାୟ ୧୧ଟାରେ ନିଜ ଦୋକାନରୁ ବାହାରିଥିଲେ। ହେଲେ ରାତି ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ନଭେମ୍ବର ୧୩ରେ ବୌଦ୍ଧ ଆଦର୍ଶ ଥାନାରେ ଅପହରଣ ଅଭିଯୋଗ ହୋଇଥିଲା। ଅନ୍ୟପଟେ ବ୍ୟବସାୟୀଙ୍କ ନିଖୋଜ ଘଟଣାକୁ ନେଇ ବଣିକ ସଂଘ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା। ତୁରନ୍ତ ତାଙ୍କୁ ଖୋଜିବା ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତା ଅବରୋଧ ମଧ୍ୟ କରାଯାଇଥିଲା।
ପୋଲିସ ତଦନ୍ତରେ ବିସିପାଲି ଛକ ନିକଟ ଏକ ଦୋକାନର ସିସିଟିଭି ଫୁଟେଜ୍ ଗୁରୁତ୍ୱପୂର୍ଣ୍ଣ ସୁରାକ୍ ଦେଇଥିଲା। ଏଥିରେ ବିରୂପାକ୍ଷ ଜଣେ ସରକାରୀ ପ୍ରାଥମିକ ସ୍କୁଲ ଶିକ୍ଷକ ସ୍ୱାଧୀନ କୁମାର ପ୍ରଧାନଙ୍କ ସହ ବାଇକ୍ରେ ରେଢ଼ାଖୋଲ ଅଭିମୁଖେ ଯାଉଥିବା ଦେଖାଯାଇଥିଲା। କିନ୍ତୁ କଦଳୀଗଡ଼ ଟୋଲଗେଟ୍ ନିକଟର ଅନ୍ୟ ଏକ ସିସିଟିଭିରେ ସ୍ୱାଧୀନ ପ୍ରଧାନ ଏକାକୀ ହେଲମେଟ୍ ପିନ୍ଧି ଫେରୁଥିବା ଦୃଶ୍ୟ ପୋଲିସର ସନ୍ଦେହ ବଢ଼ାଇଥିଲା।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ସ୍ୱାଧୀନ ପ୍ରଧାନ ବିରୂପାକ୍ଷଙ୍କଠାରୁ ମୋଟା ଅଙ୍କର ଟଙ୍କା ଧାର ନେଇଥିଲେ। ବାରମ୍ବାର ଟଙ୍କା ମାଗିବା ପରେ ଫେରସ୍ତ କରିବା ବାହାନାରେ ତାଙ୍କୁ ଡାକି ନେଇଥିବା ଅଭିଯୋଗ ହୋଇଛି। ଆର୍ଥିକ କାରବାରକୁ କେନ୍ଦ୍ର କରି ହତ୍ୟା ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି। ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ ସହଯୋଗୀଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟମାନଙ୍କ ଗିରଫ ନେଇ ସୂଚନା ମିଳିଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି।ଘଟଣାସ୍ଥଳରେ ପହଞ୍ଚି ଏସ୍ପି ଓ ସାଇଣ୍ଟିଫିକ୍ ଟିମ୍ର ଛାନ୍ଭିନ୍ କରିଛି।
