Rama Naga Appointment Row:ରାମ ନାଗାଙ୍କ ନିଯୁକ୍ତିକୁ ନେଇ ବିବାଦ..
ରାମ ନାଗାଙ୍କୁ ରାଜନୀତି ବିଜ୍ଞାନ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ନିଯୁକ୍ତି ମିଳିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ୨୦୧୬ ମସିହାର JNU ବିବାଦ ସହ ରାମ ନାଗାଙ୍କ ନାମ ଯୋଡ଼ି ହୋଇଥିବାରୁ ତାଙ୍କ ନିଯୁକ୍ତିକୁ ନେଇ କିଛି ଲୋକ ପ୍ରଶ୍ନ ଉଠାଇଛନ୍ତି

ଓଡ଼ିଶାରେ ରାମ ନାଗାଙ୍କ ନିଯୁକ୍ତିକୁ ନେଇ ନୂଆ ରାଜନୈତିକ ବିବାଦ। ଜେଏନୟୁର ପୂର୍ବତନ ଛାତ୍ର ସଂସଦ ସାଧାରଣ ସମ୍ପାଦକ ରାମ ନାଗାଙ୍କୁ ରାଜନୀତି ବିଜ୍ଞାନ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ନିଯୁକ୍ତି ମିଳିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ୨୦୧୬ ମସିହାର JNU ବିବାଦ ସହ ରାମ ନାଗାଙ୍କ ନାମ ଯୋଡ଼ି ହୋଇଥିବାରୁ ତାଙ୍କ ନିଯୁକ୍ତିକୁ ନେଇ କିଛି ଲୋକ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ସମର୍ଥକମାନେ କହୁଛନ୍ତି, ନିଯୁକ୍ତି ତାଙ୍କର ଶିକ୍ଷାଗତ ଯୋଗ୍ୟତା ଓ ଚୟନ ପ୍ରକ୍ରିୟା ଆଧାରରେ ହେବା ଉଚିତ। ରାମ ନାଗା ଓଡ଼ିଶାର କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଅଞ୍ଚଳର ବାସିନ୍ଦା। ସେ ଜୟପୁରର ବିକ୍ରମ ଦେବ କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ପାଠପଢ଼ା କରିଥିଲେ। ପରେ ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ୨୦୧୫-୧୬ ମସିହାରେ ସେ JNU ଛାତ୍ର ସଂସଦର ସାଧାରଣ ସମ୍ପାଦକ ଥିଲେ। ସେ ବାମପନ୍ଥୀ ଛାତ୍ର ସଂଗଠନ AISA ସହ ଜଡ଼ିତ ଥିଲେ। ରାମା ନାଗାଙ୍କ ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିଲା। ତାଙ୍କ ବାପା ଚୁଡ଼ି ବିକ୍ରି କରି ପରିବାର ଚଳାଉଥିଲେ।
କ'ଣ ଥିଲା ୨୦୧୬ JNU ବିବାଦ?
୨୦୧୬ ଫେବୃଆରୀ ମାସରେ ଦିଲ୍ଲୀର JNU କ୍ୟାମ୍ପସରେ ଅଫଜଲ ଗୁରୁଙ୍କ ଫାଶୀକୁ ନେଇ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ୨୦୦୧ ମସିହା ସଂସଦ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ଅଫଜଲ ଗୁରୁଙ୍କୁ ଫାଶୀ ଦିଆଯାଇଥିଲା। ଏହି ଫାଶୀକୁ ବିରୋଧ କରି JNUରେ ଆୟୋଜିତ କାର୍ଯ୍ୟକ୍ରମ ପରେ ବିବାଦ ସୃଷ୍ଟି ହୋଇଥିଲା। କାର୍ଯ୍ୟକ୍ରମରେ ଦେଶବିରୋଧୀ ସ୍ଲୋଗାନ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଥିଲା। JNU ଛାତ୍ର ସଂସଦର ସଭାପତି କହ୍ନେୟା କୁମାରଙ୍କୁ ଗିରଫ କରାଯାଇଥିଲା। ରାମା ନାଗାଙ୍କ ସମେତ ଅନ୍ୟ କେତେକ ଛାତ୍ର ନେତାଙ୍କ ନାମ ମଧ୍ୟ ତଦନ୍ତରେ ସାମ୍ନାକୁ ଆସିଥିଲା। ରାମା ନାଗା ଦେଶବିରୋଧୀ ସ୍ଲୋଗାନ ଦେଇଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ। ତାଙ୍କ ଯୁକ୍ତି ଥିଲା ଯେ ବାହାରୁ ଆସିଥିବା କିଛି ଲୋକ ସ୍ଲୋଗାନ ଦେଇଥିଲେ ଏବଂ ସେ ଏହାକୁ ରୋକିବାକୁ ଉଦ୍ୟମ କରିଥିଲେ।
ଏବେ କାହିଁକି ନିଯୁକ୍ତିକୁ ନେଇ ବିବାଦ?
ଆସିଷ୍ଟାଣ୍ଟ ପ୍ରଫେସର ଭାବେ ରାମା ନାଗାଙ୍କ ନିଯୁକ୍ତି ଖବର ସାମ୍ନାକୁ ଆସିବା ପରେ ଅନେକ ପ୍ରଶ୍ନ ଉଠିଛି। ୨୦୧୬ JNU ବିବାଦ ସହ ନାମ ଯୋଡ଼ି ହୋଇଥିବା ଜଣେ ବ୍ୟକ୍ତିଙ୍କୁ କେଉଁ ଆଧାରରେ ସରକାରୀ ଶିକ୍ଷକ ପଦବୀ ମିଳିଲା? ନିଯୁକ୍ତି ପୂର୍ବରୁ ତାଙ୍କ ବିରୋଧରେ ଥିବା ପୋଲିସ ମାମଲାର ଯାଞ୍ଚ ହୋଇଥିଲା କି? ନିଯୁକ୍ତିର ଯୋଗ୍ୟତା ମାନଦଣ୍ଡ କ'ଣ ଥିଲା? ପୂର୍ବରୁ ଛାତ୍ର ରାଜନୀତିରେ ସକ୍ରିୟ ରହିବା ଜଣେ ବ୍ୟକ୍ତିଙ୍କ ସରକାରୀ ନିଯୁକ୍ତିରେ ପ୍ରଭାବ ପକାଇବା ଉଚିତ କି? କିଛି ସମାଲୋଚକ ତାଙ୍କୁ 'ଅର୍ବାନ ନକ୍ସଲ' ବୋଲି ମଧ୍ୟ ଅଭିହିତ କରିଛନ୍ତି। ତେବେ ତାଙ୍କ ସମର୍ଥକମାନେ ବି କଡ଼ା ଯୁକ୍ତି ରଖିଛନ୍ତି।ତାଙ୍କ ସରକାରୀ ଚାକିରି ଶିକ୍ଷାଗତ ଯୋଗ୍ୟତା ଓ ମେଧା ଆଧାରରେ ମିଳିବା ଉଚିତ। ନିଯୁକ୍ତି ପ୍ରକ୍ରିୟାରେ ସମସ୍ତ ନିୟମ ଓ ସଂରକ୍ଷଣ ବ୍ୟବସ୍ଥା ପାଳନ ହେବା ଆବଶ୍ୟକ। କେବଳ ଅଭିଯୋଗ ଆଧାରରେ କାହାକୁ ଚାକିରିରୁ ବଞ୍ଚିତ କରାଯିବା ଉଚିତ ନୁହେଁ। ଜଣେ ବ୍ୟକ୍ତିଙ୍କୁ ପୁରୁଣା ବିବାଦ ଆଧାରରେ ସବୁଦିନ ପାଇଁ ବିଚାର କରିବା ଠିକ୍ ନୁହେଁ।
ଏହି ବିବାଦର ରାଜନୈତିକ ଗୁରୁତ୍ୱ କ'ଣ?
ରାମା ନାଗାଙ୍କ ନିଯୁକ୍ତି ବିବାଦ ଏବେ ତିନୋଟି ବଡ଼ ପ୍ରସଙ୍ଗକୁ ନେଇ ଆଲୋଚନା ସୃଷ୍ଟି କରିଛି। ବିଶ୍ୱବିଦ୍ୟାଳୟରେ ମତପ୍ରକାଶର ସ୍ୱାଧୀନତା। ଛାତ୍ର ରାଜନୀତି ଓ ଦେଶବିରୋଧୀ କାର୍ଯ୍ୟକଳାପ ମଧ୍ୟରେ ପାର୍ଥକ୍ୟ। ପୂର୍ବରୁ ଥିବା ଅଭିଯୋଗ ଆଧାରରେ ସରକାରୀ ଚାକିରି ନିଯୁକ୍ତିକୁ ପ୍ରଭାବିତ କରାଯିବା ଉଚିତ କି ନୁହେଁ।
