Girl Student Collapse In Claassroom: କ୍ଲାସ୍ରୁମ୍ରେ ଟଳିପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ
ରାଜକନିକା ଆୟତନସ୍ଥିତ କମଳା ମଡେଲ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଚେତ ହେଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ । ଡାକ୍ତରଖାନାରେ ମୃତ ଘୋଷଣା। ଘଟଣାର କାରଣ ଅସ୍ପଷ୍ଟ।
ରାଜକନିକା: ସରକାରୀ ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ସମୟରେ ଘଟିଛି ଏକ ଦୁଃଖଦ ଘଟଣା। କ୍ଲାସରୁମରେ ହଠାତ୍ ଅଚେତ ହୋଇପଡ଼ିଲେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ। ପରେ ତାଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ଛାତ୍ରୀ ଜଣକ ହେଉଛନ୍ତି ରାଜକନିକା ବ୍ଲକ୍ର ତ୍ରୈଲୋକ୍ୟପୁର ପଞ୍ଚାୟତ ଅନ୍ତର୍ଗତ ମହାଦେଇଆଡ଼ିଆ ଗ୍ରାମର ରବିନାରାୟଣ ବେହେରାଙ୍କ ଝିଅ ବିଶ୍ୱରୂପା ବେହେରା। ସେ ଆୟତନସ୍ଥିତ କମଳା ମଡେଲ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ। ସୂଚନା ଅନୁଯାୟୀ, କ୍ଲାସ୍ରୁମ୍ରେ ପାଠପଢ଼ା ଚାଲିଥିବା ସମୟରେ ଛାତ୍ରୀ ଜଣକ ହଠାତ୍ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ, ଏହି ଘଟଣା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କୁ ପଚରାଯିବାରୁ ବାଣ ଫୁଟିବା ଯୋଗୁଁ ଛାତ୍ରୀ ଜଣକ ଅଚେତ ହୋଇ ପଡ଼ିଯାଇଥିବା କଥା ସେ କହିଥିବା ଜଣାପଡ଼ିଛି। ତେବେ ବିଦ୍ୟାଳୟ ପରିସରରେ ପ୍ରକୃତରେ ବାଣ ଫୁଟିଥିଲା କି? ବାଣ ଫୁଟିବା ଯୋଗୁଁ ଛାତ୍ରୀଙ୍କ ମୃତ୍ୟୁ ଘଟିଲା ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି? ଏସବୁ ପ୍ରଶ୍ନର ଉତ୍ତର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
