45-Year Wait Ends : ନୂଆ ରୂପ ପାଇବ ବିଶ୍ୱନାଥ ମୁଣ୍ଡିଆ
୪୫ ବର୍ଷର ଅପେକ୍ଷାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ! ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ନୂଆ ରୂପ ପାଇବ ଡେଲାଙ୍ଗର ବିଶ୍ୱନାଥ ମୁଣ୍ଡିଆ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଲେ ଶିଳାନ୍ୟାସ, ୫୦୦ ଲକ୍ଷପତି ଦିଦିଙ୍କ ପାଇଁ MSME ସେଣ୍ଟର ଘୋଷଣା!
ଡେଲାଙ୍ଗକୁ ବଡ଼ ଉପହାର | ପୁରୀ ଜିଲ୍ଲା ଡେଲାଙ୍ଗରେ ବିଶ୍ୱନାଥ ମୁଣ୍ଡିଆର ଉନ୍ନତିକରଣ ପାଇଁ ପଡ଼ିଲା ଭିତ୍ତିପ୍ରସ୍ତର । ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପୁରୀ ସାଂସଦ ଡଃ ସମ୍ବିତ ପାତ୍ର ଏବଂ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଉପସ୍ଥିତ ଥିଲେ। ବିଶ୍ୱନାଥ ମୁଣ୍ଡିଆର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରାୟ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହା ଅଧୀନରେ ମୁଣ୍ଡିଆ ଉପରକୁ ଗାଡ଼ି ଯାତାୟାତ ପାଇଁ ପକ୍କା ରାସ୍ତା ନିର୍ମାଣ, ଆଲୋକୀକରଣ, ପାନୀୟ ଜଳ ବ୍ୟବସ୍ଥା, ଯାତ୍ରୀଙ୍କ ପାଇଁ ବିଶ୍ରାମ ଗୃହ ଏବଂ ଆକର୍ଷଣୀୟ ଲୁହା ବାଡ଼ ନିର୍ମାଣ ଭଳି ବିଭିନ୍ନ ସୁବିଧା କରାଯିବ।ଦୀର୍ଘ ୪୫ ବର୍ଷ ଧରି ଏହି ଉନ୍ନତିକରଣ ପାଇଁ ଦାବି ହୋଇଆସୁଥିବା ବେଳେ ବର୍ତ୍ତମାନର ସରକାରଙ୍କ ଉଦ୍ୟମରେ ଏହା ସାକାର ହେବାକୁ ଯାଉଛି। ଏଥିପାଇଁ ବିଶ୍ୱନାଥ ଦେବ ଯଜ୍ଞ କମିଟି ପକ୍ଷରୁ ବିଭାଗୀୟ ମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଯାଇଛି। ଅନ୍ୟପଟେ ଆୟୋଜିତ ସଭାରେ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ୫୦୦ ଜଣ ଲକ୍ଷପତି ଦିଦିଙ୍କ ପାଇଁ ଏକ MSME ସେଣ୍ଟର ପ୍ରତିଷ୍ଠା କରାଯିବା ନେଇ ଘୋଷଣା କରିଛନ୍ତି। ଏହାଦ୍ୱାରା ମହିଳାମାନଙ୍କୁ ଉଦ୍ୟୋଗ ଓ ଆତ୍ମନିର୍ଭରଶୀଳତା ଦିଗରେ ଅଧିକ ସୁଯୋଗ ମିଳିପାରିବ |
