Football Violence:ଫୁଟବଲ୍ ଫାଇନାଲ୍ରେ ହଙ୍ଗାମା
ଖେଳର ରୋମାଞ୍ଚ ଭିତରେ ହଠାତ୍ ବଦଳିଗଲା ପରିବେଶ। ପେନାଲ୍ଟି ସୁଟ୍ଆଉଟ୍ରେ ରେଫରୀଙ୍କ ନିଷ୍ପତ୍ତିକୁ ନେଇ ଆରମ୍ଭ ହେଲା ବିବାଦ। ଦେଖୁ ଦେଖୁ ପଡ଼ିଆକୁ ପଶିଲେ ଦର୍ଶକ, ଚେୟାର ଫିଙ୍ଗାଫିଙ୍ଗିରେ ବନ୍ଦ ହେଲା ଖେଳ।
ମୟୂରଭଞ୍ଜ: ଫୁଟବଲ୍ ଫାଇନାଲ୍ର ଉତ୍ସାହ ହଠାତ୍ ହିଂସା ଓ ଉତ୍ତେଜନାର ରୂପ ନେଲା। ରେଫରୀଙ୍କ ପେନାଲ୍ଟି ସୁଟ୍ଆଉଟ୍ ନିଷ୍ପତ୍ତିକୁ ନେଇ ମୟୂରଭଞ୍ଜ ଜିଲ୍ଲା ଭୋଳାଗଡ଼ିଆ ମିନି ଷ୍ଟାଡିୟମ୍ରେ ତୁମୁଳକାଣ୍ଡ ଘଟିଛି। ଦର୍ଶକମାନେ ପଡ଼ିଆ ଭିତରକୁ ପଶି ହାତାହାତି ହେବା ସହ ଚେୟାର ଫିଙ୍ଗାଫିଙ୍ଗି କରିଥିଲେ। ଫଳରେ କିଛି ସମୟ ପାଇଁ ଫୁଟବଲ୍ ପଡ଼ିଆ ରଣକ୍ଷେତ୍ର ପାଲଟିଥିଲା। ସୂଚନା ଅନୁସାରେ, ଭୋଳାଗଡ଼ିଆ ମିନି ଷ୍ଟାଡିୟମ୍ରେ ଚାଲିଥିବା ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ରେ ବାଙ୍ଗିରିପୋଷି (ବାବନଘଟି) ଓ ରାଉରକେଲା ଦଳ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ନିର୍ଦ୍ଧାରିତ ସମୟରେ ଖେଳର ଫଳାଫଳ ନିର୍ଣ୍ଣୟ ନହେବାରୁ ମ୍ୟାଚ୍ ପେନାଲ୍ଟି ସୁଟ୍ଆଉଟ୍କୁ ଯାଇଥିଲା। ଏହି ସମୟରେ ରେଫରୀଙ୍କ ଏକ ନିଷ୍ପତ୍ତିକୁ ନେଇ ଦୁଇ ଦଳର ଖେଳାଳି ଓ ସମର୍ଥକମାନେ ଆପତ୍ତି ଉଠାଇଥିଲେ। ନିଷ୍ପତ୍ତି ଏକପାଖିଆ ଥିବା ଅଭିଯୋଗ କରିବା ପରେ ପଡ଼ିଆରେ ଉତ୍ତେଜନା ବଢ଼ିଥିଲା। କିଛି ସମୟ ମଧ୍ୟରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। ଉତ୍ତ୍ୟକ୍ତ ଦର୍ଶକ ପଡ଼ିଆ ଭିତରକୁ ପଶି ହାତାହାତି ହେବା ସହ ଚେୟାର ଫିଙ୍ଗାଫିଙ୍ଗି କରିଥିଲେ। ଏହାକୁ ନେଇ ଖେଳ ଦେଖିବାକୁ ଆସିଥିବା ଦର୍ଶକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ଦେଖାଦେଇଥିଲା। ତେବେ ଏହି ଘଟଣାରେ କେହି ଆହତ ହୋଇଛନ୍ତି କି ନାହିଁ କିମ୍ବା ମ୍ୟାଚ୍ର ଚୂଡ଼ାନ୍ତ ଫଳାଫଳ କ’ଣ ହୋଇଛି, ସେନେଇ ସୂଚନା ମିଳିନାହିଁ।
