ନିୟମକୁ ଫୁ’ କରି ମନଇଚ୍ଛା ବାଣ ଫୁଟାଇଲେ, ବିଗିଡ଼ିଲା ଟ୍ୱିନ୍ ସିଟିରେ ପରିବେଶର ସ୍ଥିତି
ଦୀପାବଳିରେ ନିୟମ ଉଲ୍ଲଂଘନ କରି ବାଣ ଫୁଟାଇବାରୁ ଭୁବନେଶ୍ୱର ଓ କଟକରେ ବଢ଼ିଲା ବାୟୁ ପ୍ରଦୂଷଣ। AQI ବୃଦ୍ଧି ସହ ପରିବେଶ ଓ ଜନସ୍ୱାସ୍ଥ୍ୟ ପ୍ରଭାବିତ।
ଭୁବନେଶ୍ୱର: ଦୀପାବଳିରେ ଆଲୋକର ପର୍ବ ଫିକା, ବାଣର ଶବ୍ଦ ଓ ଧୂଆଁରେ ଅସ୍ତବ୍ୟସ୍ତ ଜନଜୀବନ। ସରକାରୀ କଟକଣା ଓ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ମନଇଚ୍ଛା ବାଣ ଫୁଟାଇବାର ପରିଣାମ ଏବେ ପରିବେଶ ଉପରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। କେବଳ ସବୁଜ ବାଣ ଫୁଟାଇବା ସହ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଥିବା ସତ୍ତ୍ୱେ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସହରରେ ବିଳମ୍ବିତ ରାତି ଯାଏଁ ବାଣ ଫୁଟାଯାଇଥିବା ଅଭିଯୋଗ ହୋଇଛି। ଏହାର ସିଧାସଳଖ ପ୍ରଭାବ ବାୟୁର ଗୁଣବତ୍ତା ଉପରେ ପଡ଼ିଛି। ଭୁବନେଶ୍ୱରର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୨୦୭ ରହିଥିଲା, ଯାହା 'Poor' ଶ୍ରେଣୀରେ ଆସୁଛି। ଏପରିକି ଦୀପାବଳି ରାତିରେ ସହରର କେତେକ ସ୍ଥାନରେ AQI ସ୍ତର ୧,୦୦୦ରୁ ୧,୩୦୦ ଅତିକ୍ରମ କରିଥିବା ଦାବି କରାଯାଇଛି। ବାଣରୁ ନିର୍ଗତ PM2.5 ପରି ସୂକ୍ଷ୍ମ କଣିକା ବାୟୁମଣ୍ଡଳକୁ ପ୍ରଦୂଷିତ କରିବା ସହ ଧୂଆଁର ଆସ୍ତରଣ ସୃଷ୍ଟି କରିଛି। ଏହାଦ୍ୱାରା ଶିଶୁ, ବୃଦ୍ଧ ଓ ଆଜ୍ମା ରୋଗୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ବଢ଼ିଛି। ଅନ୍ୟପଟେ ଅତ୍ୟଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଯିବା ସହ ଡାକ୍ତରଖାନା, ସ୍କୁଲ ଓ ବୃଦ୍ଧାଶ୍ରମ ନିକଟରେ ମଧ୍ୟ ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗ ରହିଛି। ବାଣର ପ୍ରଭାବ କେବଳ ବାୟୁ ପ୍ରଦୂଷଣରେ ସୀମିତ ନୁହେଁ। ଏହାର ଅବଶିଷ୍ଟାଂଶ ଜଳ ଓ ମାଟିକୁ ପ୍ରଦୂଷିତ କରିବା ସହ ପଶୁପକ୍ଷୀଙ୍କ ଜୀବନକୁ ମଧ୍ୟ ପ୍ରଭାବିତ କରୁଛି। ପ୍ରଶାସନର ସଚେତନତା ଓ କଟକଣା ସତ୍ତ୍ୱେ ଯଦି ନିୟମ ପାଳନ ହେଉନାହିଁ, ତେବେ ଏହାର ଲାଭ କ'ଣ? ନିଜ ଖୁସି ପାଇଁ ଅନ୍ୟର ସ୍ୱାସ୍ଥ୍ୟ ଓ ପରିବେଶକୁ ବିପଦରେ ପକାଇବା ଆଦୌ ଗ୍ରହଣୀୟ ନୁହେଁ। ତେଣୁ ଆଗାମୀ ଦିନରେ ସଚେତନତା ସହ ନିୟମର କଡ଼ାକଡ଼ି ପାଳନ ଏବଂ ଉଲ୍ଲଂଘନକାରୀଙ୍କ ବିରୋଧରେ ଉଚିତ ପଦକ୍ଷେପ ନେବା ଜରୁରୀ। ଆଲୋକର ପର୍ବ ଦୀପାବଳି ଅନ୍ୟମାନଙ୍କ ପାଇଁ ଅନ୍ଧକାର ଓ ଯନ୍ତ୍ରଣାର କାରଣ ନହେଉ, ଏହା ହିଁ ସମସ୍ତଙ୍କ ଦାୟିତ୍ୱ।
