ମା’ ଭଦ୍ରକାଳୀଙ୍କ ବେଦମାତା ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ଆରମ୍ଭ ହେଲା ସପ୍ତମାତୃକା ପୂଜା
ଭଦ୍ରକ ମା’ ଭଦ୍ରକାଳୀ ପୀଠରେ ସପ୍ତମାତୃକା ପୂଜା। ପ୍ରଥମ ଦିନରେ ବେଦମାତା ବେଶରେ ଦର୍ଶନ ଦେଲେ ମା’, ୧୦୦୮ ମହିଳାଙ୍କ କଳସ ଶୋଭାଯାତ୍ରା।
ଭଦ୍ରକ: ମା’ ଭଦ୍ରକାଳୀଙ୍କ ପୀଠରେ ଆରମ୍ଭ ହୋଇଛି ସପ୍ତଦିବସୀୟ ମହାପୂଜା ଉତ୍ସବ। ମହାକାଳୀଙ୍କ ପୂଜା ଅବସରରେ ମା’ଙ୍କୁ ସପ୍ତମାତୃକା ବେଶରେ ସଜ୍ଜିତ କରାଯାଇ ଦର୍ଶନ ଦେବାର ପରମ୍ପରା ରହିଛି। ପ୍ରଥମ ଦିନରେ ମା’ ଭଦ୍ରକାଳୀ ବେଦମାତା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଏହି ଦିବ୍ୟ ବେଶ ଦର୍ଶନ ପାଇଁ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି। ମା’ଙ୍କ ବେଦମାତା ରୂପ ଦର୍ଶନ କଲେ ମହାଜ୍ଞାନ ପ୍ରାପ୍ତି ସହ ମୋକ୍ଷ ଲାଭ ହୋଇଥାଏ ବୋଲି ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶ୍ୱାସ ରହିଛି। ଏହି ଅବସରରେ ପ୍ରତ୍ୟୁଷରୁ ସାଳନ୍ଦୀ ନଦୀରୁ ସେବାୟତମାନେ ପବିତ୍ର ଜଳ ଆଣି ଘଟ ସ୍ଥାପନ କରିବା ସହ ପାରମ୍ପରିକ ରୀତିନୀତିରେ ମା’ଙ୍କ ପୂଜାର୍ଚ୍ଚନା କରିଛନ୍ତି। କନିକା ପୁରାଣ ଓ ଯୋଗିନୀ ତନ୍ତ୍ରରେ ମା’ ଭଦ୍ରକାଳୀଙ୍କ ପୀଠକୁ ଏକ ମହାନ ଶକ୍ତିପୀଠ ଭାବେ ବର୍ଣ୍ଣନା କରାଯାଇଛି। ସାତଦିନ ଧରି ମା’ ବେଦମାତା, ମହାକାଳୀ, ରାଜରାଜେଶ୍ୱରୀ, ସିଂହବାହିନୀ, ଜଗଦ୍ଧାତ୍ରୀ, ମହାସରସ୍ୱତୀ ଓ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେବେ। ଚଳିତ ବର୍ଷ ମହାଯଜ୍ଞର ୨୫ତମ ବର୍ଷ ତଥା ରୌପ୍ୟ ଜୟନ୍ତୀ ପାଳନ ଅବସରରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିଶେଷ ଆୟୋଜନ କରାଯାଇଛି। ୧୦୦୮ ମହିଳା ଶ୍ରଦ୍ଧାଳୁଙ୍କୁ ନେଇ ମାନସିକ କଳସ ଶୋଭାଯାତ୍ରା ଆୟୋଜିତ ହୋଇଛି। ଏଥିସହ ମହାଯଜ୍ଞର ପ୍ରଚାର ପାଇଁ ମହେନ୍ଦ୍ରଗିରିରୁ ଆସିଥିବା ସ୍ୱତନ୍ତ୍ର ପକ୍ଷୀ ଏବଂ ପୀଠରେ ସ୍ଥାପିତ ଶିବ ରତ୍ନମଣି ଶ୍ରଦ୍ଧାଳୁଙ୍କ ପାଇଁ ଆକର୍ଷଣ ପାଲଟିଛି। ସପ୍ତଦିବସୀୟ ଉତ୍ସବରେ ମହାଯଜ୍ଞ, ଚଣ୍ଡୀପାଠ ଓ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଜାରି ରହିଛି। ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ପକ୍ଷରୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ସହ ପ୍ରସାଦ ସେବନର ମଧ୍ୟ ଆୟୋଜନ କରାଯାଇଛି।
