Bhaskar-Rao-Surrender:ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ଭାସ୍କର ରାଓଙ୍କୁ ଜେଲ୍
ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ମାମଲା ପୁଣି ଚର୍ଚ୍ଚାକୁ ଆସିଛି। ସୁପ୍ରିମକୋର୍ଟଙ୍କ ଜାମିନ ରଦ୍ଦ ନିର୍ଦ୍ଦେଶ ପରେ ରାୟଗଡ଼ା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ। ତାଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଛି।
ରାୟଗଡ଼ା: ବହୁଚର୍ଚ୍ଚିତ ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ନୂଆ ମୋଡ଼। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାୟଗଡ଼ା SDJM କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ। ଆତ୍ମସମର୍ପଣ ପରେ ତାଙ୍କ ନିୟମିତ ଜାମିନ ଆବେଦନକୁ କୋର୍ଟ ଖାରଜ କରିବାରୁ ତାଙ୍କୁ ରାୟଗଡ଼ା ଜେଲ୍ ହାଜତକୁ ପଠାଯାଇଛି। ପ୍ରାୟ ୧୬ ବର୍ଷ ପୁରୁଣା ଏହି ହତ୍ୟା ମାମଲା ପୁଣି ଚର୍ଚ୍ଚାକୁ ଆସିଛି। ଗତ ଅକ୍ଟୋବର ୨୬ ତାରିଖରେ ସୁପ୍ରିମକୋର୍ଟର ଜଷ୍ଟିସ୍ ସଞ୍ଜୟ କୁମାର ଓ ଜଷ୍ଟିସ୍ ସଞ୍ଜୀବ ସଚଦେବାଙ୍କ ଖଣ୍ଡପୀଠ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ପୂର୍ବରୁ ମିଳିଥିବା ଜାମିନ ଆଦେଶକୁ ରଦ୍ଦ କରିବା ସହ ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ଭାସ୍କର ରାଓଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ।ଏହି ରାୟରେ ଓଡ଼ିଶା ହାଇକୋର୍ଟଙ୍କ ଜାନୁଆରୀ ୨୨ ତାରିଖର ଆଦେଶର ଏକ ଅଂଶ ଏବଂ ଜାନୁଆରୀ ୩୦ରେ ରାୟଗଡ଼ା SDJM କୋର୍ଟ ପ୍ରଦାନ କରିଥିବା ଜାମିନ ଆଦେଶକୁ ରଦ୍ଦ କରାଯାଇଥିଲା। ମାମଲାରେ ଭାସ୍କର ରାଓଙ୍କ ସମେତ ଅଭିଯୁକ୍ତମାନେ ପ୍ରଥମେ ଓଡ଼ିଶା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ହାଇକୋର୍ଟ ଆବେଦନ ଖାରଜ କରିଥିଲେ ମଧ୍ୟ ନିମ୍ନ ଅଦାଲତରେ ଆତ୍ମସମର୍ପଣ ପରେ ନିର୍ଦ୍ଦିଷ୍ଟ ସର୍ତ୍ତରେ ନିୟମିତ ଜାମିନ ଦେବାକୁ କହିଥିଲେ। କିନ୍ତୁ ଏହି ପ୍ରକ୍ରିୟାକୁ ସୁପ୍ରିମକୋର୍ଟ ଆଇନସମ୍ମତ ମନେ କରିନଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଥିଲେ ଯେ ଆଗୁଆ ଜାମିନ ଖାରଜ ହେବା ପରେ ନିମ୍ନ ଅଦାଲତ ନିୟମିତ ଜାମିନ ଆବେଦନ ଉପରେ ସ୍ୱାଧୀନ ଭାବେ ନିଷ୍ପତ୍ତି ନେବେ। ମାମଲାର ତଥ୍ୟ, ଅଭିଯୋଗ ଓ ଆଇନଗତ ଦିଗକୁ ବିଚାର ନକରି ଆଗୁଆ ଜାମିନ ଖାରଜ କରିବା ସମୟରେ ନିମ୍ନ ଅଦାଲତର ପରବର୍ତ୍ତୀ ନିଷ୍ପତ୍ତି ପୂର୍ବରୁ ଧାର୍ଯ୍ୟ କରାଯାଇପାରିବ ନାହିଁ। ତେବେ ଅଭିଯୁକ୍ତମାନେ ପୁନର୍ବାର ନିୟମିତ ଜାମିନ ପାଇଁ ଆବେଦନ କରିପାରିବେ। ସୂଚନାଯୋଗ୍ୟ, ୨୦୧୦ ଡିସେମ୍ବର ୧୫ରେ ରାୟଗଡ଼ାର ଆଦିବାସୀ ନେତା ତଥା ମା’ ମଝିଘରିଆଣୀ ମନ୍ଦିରର ଟ୍ରଷ୍ଟି ଭାଗୀରଥି ମାଣ୍ଡାଙ୍ଗି ନିଖୋଜ ହୋଇଯାଇଥିଲେ। ପରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ତୋଟାପଲ୍ଲୀ ଜଳଭଣ୍ଡାର ନିକଟରୁ ତାଙ୍କ ପୋଡ଼ା ମୃତଦେହ ଉଦ୍ଧାର ହୋଇଥିଲା। ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ମିଳିବା ପରେ ଏହା ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ ହୋଇଥିଲା।ମନ୍ଦିର ପରିଚାଳନାରେ ଅନିୟମିତତା ବିରୋଧରେ ସ୍ୱର ଉଠାଇଥିବାରୁ ଭାଗୀରଥିଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଓ ଆଦିବାସୀ ସଂଗଠନ ଅଭିଯୋଗ କରିଥିଲେ। ଘଟଣାକୁ ନେଇ ରାୟଗଡ଼ାରେ ପ୍ରତିବାଦ ହେବା ପରେ ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ୨୦୨୪ ନଭେମ୍ବର ୧୨ରେ ରାୟଗଡ଼ା SDJM କୋର୍ଟ ଭାସ୍କର ରାଓଙ୍କ ସମେତ ଛଅଜଣଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ। ହତ୍ୟା, ଅପହରଣ, ଅପରାଧିକ ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟ ଭଳି ଅଭିଯୋଗ ଏହି ମାମଲାରେ ରହିଛି। ସୁପ୍ରିମକୋର୍ଟଙ୍କ ରାୟ ପରେ ଭାସ୍କର ରାଓଙ୍କ ଆତ୍ମସମର୍ପଣ ଏହି ଦୀର୍ଘଦିନର ମାମଲାରେ ଏକ ନୂଆ ଆଇନଗତ ଅଧ୍ୟାୟ ଯୋଡ଼ିଛି। ଆଗକୁ ଜାମିନ ଆବେଦନ ଓ ମାମଲାର ପରବର୍ତ୍ତୀ ଶୁଣାଣି ଉପରେ ନଜର ରହିବ।
