ଆଶାରାମଙ୍କୁ ମିଳିବନି ପ୍ରାଇଭେଟ ଆଂବୁଲାନ୍ସ ଓ ତାପମାତ୍ରା ନିୟନ୍ତ୍ରିତ ଓ୍ୱାର୍ଡ
ବନ୍ଦୀମାନଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଦେବା ରାଜ୍ୟର କର୍ତ୍ତବ୍ୟ। କିନ୍ତୁ ଏହାର ଅର୍ଥ ଏୟା ନୁହେଁ ଯେ ପ୍ରତ୍ୟେକ ଦାବିକୁ ମଞ୍ଜୁର କରାଯିବ

ଆଶାରାମ ବାପୁଙ୍କୁ ଅନୁମତି ଦେଲେ ହାଇକୋର୍ଟ। ଆଶାରାମଙ୍କ ମେଡିକାଲ କେୟାରକୁ ନେଇ ରାଜସ୍ଥାନ ହାଇକୋର୍ଟ ଅନୁମତି ଦେଇଥିଲା ବେଳେ ତାଙ୍କ ପାଇଁ ତାପମାତ୍ରା ନିୟନ୍ତ୍ରିତ ଓ୍ୱାର୍ଡ ଓ ଘରୋଇ ଆମ୍ୱୁଲାନ୍ସ ବ୍ୟବସ୍ଥା ଆବେଦନକୁ ଖାରଜ କଲେ। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ଆଶାରାମ ବାପୁଙ୍କ ଏହି ଆବେଦନକୁ ଆଂଶିକ ଭାବେ ଖାରଜ କରିଛନ୍ତି। ବ୍ୟକ୍ତିଗତ ଆମ୍ୱୁଲାନ୍ସ ଓ ତାପମାତ୍ରା ନିୟନ୍ତ୍ରିତ ଓ୍ୱାର୍ଡ ଦାବିକୁ ଗ୍ରହଣ କରିନାହାନ୍ତି। ଜଷ୍ଟିସ ସଞ୍ଜୀତ ପୁରୋହିତଙ୍କ ଜଣିକିଆ ଖଣ୍ଡପୀଠ କହିଛନ୍ତି ଯେ, ଆଶାରାମଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି ପୂର୍ବରୁ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଯେଉଁ ସମସ୍ତ ଚିକିତ୍ସା ସୁବିଧା ଦେଇଥିଲେ, ସେଗୁଡ଼ିକ ଜାରି ରହିବ। ଏଥିରେ ବ୍ୟକ୍ତିଗତ ଖାଦ୍ୟ, ହ୍ୱିଲଚେୟାର, ସହାୟକ କର୍ମଚାରୀ ଏବଂ ଡାକ୍ତରଙ୍କ ପରାମର୍ଶ ଭଳି ସୁବିଧା ସାମିଲ ଅଛି। ୮୫ ବର୍ଷୀୟ ଆଶାରାମ ନିଜ ଆବେଦନରେ କହିଥିଲେ ଯେ ସେ ହୃଦରୋଗ, ଡାଇବେଟିସ୍, ଅସ୍ଥିକ୍ଷୟ (ଅଷ୍ଟିଓପୋରୋସିସ୍) ସହ ଅନେକ ଗୁରୁତର ରୋଗରେ ପୀଡ଼ିତ। ଏହି କାରଣରୁ ସେ ବ୍ୟକ୍ତିଗତ ICU ସୁବିଧା ଥିବା ଆମ୍ୱୁଲାନ୍ସ, ତାପମାତ୍ରା ନିୟନ୍ତ୍ରିତ କକ୍ଷ ଏବଂ ନିୟମିତ ଡାକ୍ତରୀ ଯାଞ୍ଚ ଦାବି କରିଥିଲେ। ଅଦାଲତ କହିଛନ୍ତି ଯେ ବନ୍ଦୀମାନଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଦେବା ରାଜ୍ୟର କର୍ତ୍ତବ୍ୟ। କିନ୍ତୁ ଏହାର ଅର୍ଥ ଏୟା ନୁହେଁ ଯେ ପ୍ରତ୍ୟେକ ଦାବିକୁ ମଞ୍ଜୁର କରାଯିବ। ତେଣୁ ପ୍ରାଇଭେଟ ଆମ୍ବୁଲାନ୍ସ ଓ ଟେମ୍ପରେଚର୍-କଣ୍ଟ୍ରୋଲ୍ଡ ୱାର୍ଡ ଦାବିକୁ ଖାରଜ କରାଯାଇଛି। ହେଲେ ଜରୁରୀ ଚିକିତ୍ସା ପରିସ୍ଥିତିରେ ଉପଯୁକ୍ତ ଆମ୍ୱୁଲାନ୍ସ ବ୍ୟବସ୍ଥା କରିବାକୁ ଜେଲ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଅଦାଲତ ଆଶାରାମଙ୍କୁ ବେଡ୍, ବେଡିଂ, ଆଲକାଲାଇନ୍ ପାଣି ଓ ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଚିକିତ୍ସା ସୁବିଧା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
