Raid on Illigal Trade: ଟାଙ୍ଗୀରେ ଧଳାଜହର କାରବାର
ଟାଙ୍ଗୀ କମାଗୁରୁ ଗ୍ରାମ ବ୍ୟାଙ୍କ ଛକ ନିକଟରେ ଅବକାରୀ ଚଢ଼ଉ। ୫୨ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ। ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା।
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ସଦରମହକୁମା ଅଞ୍ଚଳରେ ଦିନକୁ ଦିନ ଧଳାଜହର କାରବାର ବଢ଼ୁଥିବା ବେଳେ ଏହା ଉପରେ ରୋକ୍ ଲଗାଇବାକୁ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି। ଆଜି ଟାଙ୍ଗୀ ଅବକାରୀ ବିଭାଗ ପକ୍ଷରୁ କମାଗୁରୁ ଗ୍ରାମ ବ୍ୟାଙ୍କ ଛକ ନିକଟରେ ଚଢ଼ଉ କରାଯାଇ ୫୨ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏହି ଘଟଣାରେ ପାଣ୍ଡବ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏନେଇ ଟାଙ୍ଗୀ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜବତ ନିଶାଦ୍ରବ୍ୟର ଉତ୍ସ ଓ କାରବାର ସମ୍ପର୍କରେ ଅବକାରୀ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତୀ ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଟାଙ୍ଗୀ ଅବକାରୀ ନିରୀକ୍ଷକ ଅଜିତ୍ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଅବକାରୀ ଉପନିରୀକ୍ଷକ ରାଜେନ୍ଦ୍ର କୁମାର ସିଂଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଏହି ଧରପଗଡ଼ କରିଥିଲା। ଟାଙ୍ଗୀ ଅଞ୍ଚଳରେ ବ୍ରାଉନସୁଗାର କାରବାର ଉପରେ ରୋକ୍ ଲଗାଇବା ପାଇଁ ଆଗାମୀ ଦିନରେ ମଧ୍ୟ ଚଢ଼ଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।
