Khaja Quality Raid: ଖଜା ଗୋଦାମ ଉପରେ ବଡ଼ ଚଢ଼ାଉ
ଖଜାର ଗୁଣବତ୍ତା ଓ ଦରକୁ ନେଇ ଅଭିଯୋଗ ପରେ ପୁରୀର ବିଭିନ୍ନ ସ୍ଥାନରେ ରେଡ୍। ସିଟି ଡିଏସପିଙ୍କ ନେତୃତ୍ୱରେ ଏକାଧିକ ସ୍ଥାନରେ ରେଡ୍। ଭେଜାଲ କିମ୍ବା ନିମ୍ନମାନର ଖଜା ମିଳିଲେ ହେବ କାର୍ଯ୍ୟାନୁଷ୍ଠାନ।
ପୁରୀ: ପୁରୀ ସହରରେ ଖଜାର ଗୁଣବତ୍ତା ଓ ଦରକୁ ନେଇ ଆସୁଥିବା ଅଭିଯୋଗ ପରେ ପୋଲିସ ପକ୍ଷରୁ ଆଜି ସକାଳୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ସିଟି ଡିଏସପିଙ୍କ ନେତୃତ୍ୱରେ ଟାଉନ୍ ପୋଲିସ, ଖାଦ୍ୟ ସୁରକ୍ଷା ବିଭାଗ ଏବଂ ଓଜନ ଓ ମାପ ବିଭାଗର ମିଳିତ ଟିମ୍ ବିଭିନ୍ନ ଖଜା ଗୋଦାମ ଓ କାରଖାନାରେ ଯାଞ୍ଚ କରୁଛନ୍ତି। ସୂଚନା ଅନୁଯାୟୀ, ଶ୍ରଦ୍ଧାଳୁମାନଙ୍କୁ ନିମ୍ନମାନର କିମ୍ବା ଭେଜାଲ ଖଜା ଅଧିକ ଦାମରେ ବିକ୍ରି କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଥିଲା। ଏହାପରେ ପ୍ରଶାସନ ପକ୍ଷରୁ ଏହି ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି। ପୁରୀ ସହରର ଶ୍ରୀକୃଷ୍ଣ ସିନେମା ଲେନ୍, ବଡ଼ଦାଣ୍ଡ, ସ୍ୱର୍ଗଦ୍ୱାର ସମେତ ଆଖପାଖ ଅଞ୍ଚଳରେ ଥିବା ଏକାଧିକ ଖଜା ଗୋଦାମ ଓ ଉତ୍ପାଦନ କେନ୍ଦ୍ରରେ ଚଢ଼ାଉ ଜାରି ରହିଛି। ଯାଞ୍ଚ ସମୟରେ ଖଜାର ଗୁଣବତ୍ତା, ଓଜନରେ ହେରଫେର, ପ୍ୟାକେଜିଂ ଏବଂ ଖାଦ୍ୟ ସୁରକ୍ଷା ଲାଇସେନ୍ସ ଆଦି ଯାଞ୍ଚ କରାଯାଉଛି। ଚଢ଼ାଉ ସମୟରେ ଯଦି ଭେଜାଲ କିମ୍ବା ନିମ୍ନମାନର ଖଜା ମିଳେ, ତେବେ ତାହାକୁ ଜବତ କରାଯିବ। ଏହା ସହ ନିୟମ ଉଲ୍ଲଂଘନ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଟି ଡିଏସପି ସୂଚନା ଦେଇଛନ୍ତି। ଶ୍ରୀକ୍ଷେତ୍ରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଗୁଣାତ୍ମକ ଖାଦ୍ୟ ସାମଗ୍ରୀ ଯୋଗାଇବା ଏବଂ ଖାଦ୍ୟ ବ୍ୟବସାୟରେ ନିୟମ ପାଳନ ସୁନିଶ୍ଚିତ କରିବା ଦିଗରେ ଏହି ଅଭିଯାନକୁ ଗୁରୁତ୍ୱ ଦିଆଯାଉଛି।
