WOMAN LIFEGUARDS AT PURI BEACH:ପୁରୀ ବେଳାଭୂମିରେ ନୂଆ ଅଧ୍ୟାୟ, ମହିଳା ପର୍ଯ୍ୟଟକଙ୍କୁ ଉଦ୍ଧାର କରିବେ ମହିଳା ଲାଇଫଗାର୍ଡ
ପୁରୀ ବେଳାଭୂମିରେ ମୁତୟନ ହେବେ ମହିଳା ଲାଇଫଗାର୍ଡ। ପ୍ରଥମଥର ପାଇଁ ମହିଳା ଲାଇଫଗାର୍ଡ ନିୟୋଜନ ପାଇଁ ପ୍ରଶାସନର ପ୍ରସ୍ତୁତି, ୨୦ରୁ ଅଧିକ ମହିଳା ନେଉଛନ୍ତି ପ୍ରଶିକ୍ଷଣ।
ପୁରୀ: ପୁରୀ ବେଳାଭୂମିରେ ଏଣିକି ମହିଳା ପର୍ଯ୍ୟଟକଙ୍କ ସୁରକ୍ଷା ଦାୟିତ୍ୱରେ ମହିଳା ଲାଇଫଗାର୍ଡଙ୍କୁ ନିୟୋଜିତ କରାଯିବ। ସମୁଦ୍ରରେ ଅଘଟଣ ଘଟିଲେ ମହିଳା ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ସଚେତନ କରିବେ ମହିଳା ଲାଇଫଗାର୍ଡ। ପୁରୀ ବେଳାଭୂମିରେ ପ୍ରଥମଥର ପାଇଁ ଏଭଳି ପଦକ୍ଷେପ ନେବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ମହିଳା ପର୍ଯ୍ୟଟକଙ୍କୁ ସଚେତନ କରିବା କିମ୍ବା ସମୁଦ୍ରରୁ ଉଦ୍ଧାର କରିବା ସମୟରେ ବେଳେବେଳେ ପୁରୁଷ ଲାଇଫଗାର୍ଡମାନେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରୁଥିବା ନଜରକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ମହିଳା ପର୍ଯ୍ୟଟକଙ୍କ ସୁରକ୍ଷା ଓ ସଚେତନତା ପାଇଁ ବେଳାଭୂମିରେ ମହିଳା ଲାଇଫଗାର୍ଡ ନିୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ଅଗ୍ନିଶମ ବିଭାଗ ଅଧିକାରୀ ପ୍ରଭାତ କୁମାର ରାଉତଙ୍କ ସୂଚନା ଅନୁସାରେ, ମହିଳା ଲାଇଫଗାର୍ଡମାନଙ୍କୁ ଅଧିକ ଉତ୍ତମ ଓ ବୈଜ୍ଞାନିକ ପ୍ରଶିକ୍ଷଣ ଦେବା ପାଇଁ କୋଣାର୍କ-ଚନ୍ଦ୍ରଭାଗାସ୍ଥିତ OSWALIକୁ ପଠାଯିବ। ପ୍ରଶିକ୍ଷଣ ସମ୍ପୂର୍ଣ୍ଣ ହେବା ପରେ ଖୁବଶୀଘ୍ର ସେମାନଙ୍କୁ ବେଳାଭୂମିରେ ମୁତୟନ କରିବା ନେଇ ଯୋଜନା ରହିଛି। ଦୀର୍ଘ ତିନିମାସ ହେବ ପୁରୀ ବେଳାଭୂମିରେ ପ୍ରାୟ ୨୦ରୁ ଅଧିକ ମହିଳା ଲାଇଫଗାର୍ଡ ପ୍ରଶିକ୍ଷଣ ନେଉଛନ୍ତି। ପାରମ୍ପରିକ ମତ୍ସ୍ୟଜୀବୀ ପରିବାରର ମହିଳାଙ୍କ ସହ ଲାଇଫଗାର୍ଡ ପରିବାରର ମହିଳାମାନେ ମଧ୍ୟ ଏହି ପ୍ରଶିକ୍ଷଣରେ ସାମିଲ ହୋଇଛନ୍ତି।
ସମୁଦ୍ରରେ କେହି ବୁଡ଼ିଗଲେ କିଭଳି ତୁରନ୍ତ ଉଦ୍ଧାର କରିବେ, ଉଦ୍ଧାର ପରେ କିଭଳି ପ୍ରାଥମିକ ଚିକିତ୍ସା ଦେବେ ଏବଂ ଆବଶ୍ୟକସ୍ଥଳେ କିଭଳି CPR ଦେବେ, ସେନେଇ ମହିଳାମାନଙ୍କୁ ତାଲିମ ଦିଆଯାଉଛି। ସମୁଦ୍ର ସହ ଓତଃପ୍ରୋତ ଭାବେ ଜଡ଼ିତ ଥିବା ଏହି ମହିଳାମାନେ ପର୍ଯ୍ୟଟକଙ୍କୁ ସୁରକ୍ଷା ଯୋଗାଇବାକୁ ନିଜର ସେବା ଭାବେ ଦେଖୁଛନ୍ତି। ଏଥିସହ ସେମାନଙ୍କୁ ମହିଳା ଲାଇଫଗାର୍ଡ ଭାବେ ନିଯୁକ୍ତି ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଘରୋଇ ଲାଇଫଗାର୍ଡ ମହାସଂଘ ସମ୍ପାଦକ ହାରି ରାଓଙ୍କ ସୂଚନା ଅନୁସାରେ, ପ୍ରଶିକ୍ଷଣ ନେଉଥିବା ମହିଳାମାନଙ୍କ ତାଲିକା ପ୍ରଶାସନକୁ ପଠାଯାଇଛି। ଆଗାମୀ ଦିନରେ ଏହି ମହିଳାମାନେ ବେଳାଭୂମିରେ ଲାଇଫଗାର୍ଡ ଭାବେ ଦାୟିତ୍ୱ ନେବାର ସୁଯୋଗ ପାଇବେ ବୋଲି ଆଶା କରାଯାଉଛି। ପୁରୀ ବେଳାଭୂମିରେ ମହିଳା ଲାଇଫଗାର୍ଡ ନିୟୋଜନ ନିଷ୍ପତ୍ତିକୁ ପର୍ଯ୍ୟଟକମାନେ ସ୍ୱାଗତ କରିଛନ୍ତି। ମହିଳା ପର୍ଯ୍ୟଟକଙ୍କ ସୁରକ୍ଷା ଓ ସଚେତନତା କ୍ଷେତ୍ରରେ ଏହି ପଦକ୍ଷେପ ସହାୟକ ହେବା ସହ ପ୍ରଶିକ୍ଷଣ ନେଉଥିବା ମହିଳାମାନେ ଏହା ଦ୍ୱାରା ସ୍ୱାବଲମ୍ବୀ ହୋଇପାରିବେ ବୋଲି ପର୍ଯ୍ୟଟକମାନେ ମତ ଦେଇଛନ୍ତି।
