Puja Preparation: କଟକରେ ଦୁର୍ଗାପୂଜା ପ୍ରସ୍ତୁତି, ଶାନ୍ତି କମିଟିର ପ୍ରଥମ ବୈଠକ
ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଆଗକୁ ଆସୁଛି ଶାରଦୀୟ ଦୁର୍ଗାପୂଜା । ଏନେଇ ସିଲଭର ସିଟି କଟକ ଚଳଚଞ୍ଚଳ । ତେବେ ପୂଜା ପୂର୍ବରୁ କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ପକ୍ଷରୁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଆଗକୁ ଆସୁଛି ଶାରଦୀୟ ଦୁର୍ଗାପୂଜା । ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ସିଲଭର ସିଟି କଟକ । ପୂଜାକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଦୁର୍ଗାପୂଜା ପୂର୍ବରୁ କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ପକ୍ଷରୁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ପୂଜା ଆରମ୍ଭଠାରୁ ଭସାଣି ଶୋଭାଯାତ୍ରା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା କିଭଳି ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମ୍ପନ୍ନ ହେବ, ସେନେଇ ବିସ୍ତୃତ ଆଲୋଚନା ହୋଇଛି ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ପୋଲିସ କମିଶନର, ଡିସିପି, ସିଏମସି ମେୟର, କମିଶନର, ବିଧାୟକଙ୍କ ସମେତ ଶାନ୍ତି କମିଟି ଓ ବିଭିନ୍ନ ପୂଜା କମିଟିର ସଭାପତି, ସମ୍ପାଦକ ଏବଂ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ପୂଜା ପୂର୍ବରୁ ସହରର ରାସ୍ତାଘାଟର ମରାମତି, ବିଜୁଳି ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ଭଳି ମୌଳିକ ସମସ୍ୟାର ସମାଧାନ ଉପରେ ମଧ୍ୟ ଆଲୋଚନା କରାଯାଇଛି । ପୂଜା ସମୟରେ ଭକ୍ତଙ୍କ ଭିଡ଼ ଓ ଯାତାୟାତକୁ ଦୃଷ୍ଟିରେ ରଖି ଆବଶ୍ୟକ ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି ପୋଲିସ ପକ୍ଷରୁ ପୂଜାଠାରୁ ଆରମ୍ଭ କରି ଭସାଣି ଶୋଭାଯାତ୍ରା ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯିବ । ନିୟମ ପାଳନ ସହ ଏକ ସୁରକ୍ଷିତ ଓ ସେଫ୍ ଦୁର୍ଗାପୂଜା ଆୟୋଜନ କରିବାକୁ ସମସ୍ତ ପୂଜା କମିଟିକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର । ପାର୍ବଣ ସମୟରେ କଟକ ସହରରେ ଯେପରି ଶାନ୍ତିଶୃଙ୍ଖଳା ବଜାୟ ରହିବ ଏବଂ ସାଧାରଣ ଲୋକେ ନିର୍ବିଘ୍ନରେ ପୂଜାର ଆନନ୍ଦ ନେଇପାରିବେ, ସେଥିପାଇଁ ପ୍ରଶାସନ, ପୋଲିସ ଓ ପୂଜା କମିଟି ମଧ୍ୟରେ ସମନ୍ୱୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।
