Protest over poor food quality:ହଷ୍ଟେଲ୍ରେ ଗୋଡ଼ିମିଶା ଖାଦ୍ୟ ପ୍ରତିବାଦ ; ୫ ଦିନର ବର୍ଜନ ପରେ ରାସ୍ତାରୋକ କଲେ ଛାତ୍ରଛାତ୍ରୀ
ହଷ୍ଟେଲ ମେସରେ ନିମ୍ନମାନର ଏବଂ ଗୋଡ଼ିମିଶା ଖାଦ୍ୟ ଦିଆଯାଉଥିଲା ବେଳେ ବିରୋଧ କଲେ ଶିକ୍ଷକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଥିଲା |ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ |
ମୟୁରଭଞ୍ଜ;ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ବିସିପୁର ସରକାରୀ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ଦେଖାଦେଇଛି ଭୟଙ୍କର ଅସନ୍ତୋଷ। ନିମ୍ନମାନର ଓ ଗୋଡ଼ିମିଶା ଖାଦ୍ୟ ଦେବା ସହ, ବିରୋଧ କଲେ ଶିକ୍ଷକଙ୍କ ଆକ୍ରୋଶର ଶିକାର ହେଉଥିବା ଅଭିଯୋଗ କରି ୪୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ୫ ଦିନ ଧରି ଖାଦ୍ୟ ବର୍ଜନ କରିବାପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଉଦଳା-ବାରିପଦା ମୁଖ୍ୟ ରାଜରାସ୍ତାକୁ ବିସିପୁର ନିକଟରେ ଅବରୋଧ କରାଯିବାରୁ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଥିଲା। ପ୍ରଶାସନର ହସ୍ତକ୍ଷେପ ଓ ପ୍ରଧାନଶିକ୍ଷକଙ୍କ ବଦଳି ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ସୂଚନା ଅନୁସାରେ ,ଉକ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ୪୦୦ରୁ ଅଧିକ ଅନ୍ତେବାସୀ ରହୁଛନ୍ତି। ଦୀର୍ଘଦିନ ହେବ ହଷ୍ଟେଲ ମେସରେ ନିମ୍ନମାନର ଏବଂ ଗୋଡ଼ିମିଶା ଖାଦ୍ୟ ଯୋଗାଇ ଦିଆଯାଉଥିଲା। ପିଲାମାନେ ଏନେଇ ପ୍ରତିବାଦ କଲେ କିମ୍ବା ଅଭିଭାବକଙ୍କୁ ଜଣାଇଲେ ବିଦ୍ୟାଳୟର କେତେଜଣ ଶିକ୍ଷକଙ୍କ ପକ୍ଷରୁ ସେମାନଙ୍କୁ ଆକ୍ରୋଶର ଶିକାର ହେବାକୁ ପଡ଼ୁଥିଲା ବୋଲି ଅଭିଯୋଗ ହୋଇଛି। ଶେଷରେ କୌଣସି ଉପାୟ ନ ପାଇ ଗତ ୫ ଦିନ ହେଲା ଛାତ୍ରଛାତ୍ରୀମାନେ ହଷ୍ଟେଲର ରାନ୍ଧଣା ଖାଦ୍ୟ ସମ୍ପୂର୍ଣ୍ଣ ବର୍ଜନ କରିଥିଲେ।

ଆଜି ଶହ ଶହ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଦ୍ୟାଳୟରୁ ବାହାରିଆସି ଉଦଳା-ବାରିପଦା ମୁଖ୍ୟ ରାଜରାସ୍ତାକୁ ବିସିପୁର ନିକଟରେ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଅଟକି ରହିବା ସହ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଯାତାୟାତ ଠପ୍ ହୋଇଥିଲା। ଖବର ପାଇ ଉପଖଣ୍ଡ ଉପଜିଲ୍ଲାପାଳ, ଡିଡବ୍ଲ୍ୟୁଓ (DWO), ଖୁଣ୍ଟା ଓ ଉଦଳା ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧିକାରୀମାନେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବୁଝାସୁଝା କରିବା ସହ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକଙ୍କୁ ବଦଳି କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ପ୍ରଶାସନର ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ଏବଂ ସ୍ଥିତି ସ୍ୱାଭାବିକ ହୋଇଥିଲା।
