Under Trial Prisoner Death: ପାରଳାଖେମୁଣ୍ଡି ସବ୍ଜେଲ୍ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ
ଗଜପତିର ପାରଳାଖେମୁଣ୍ଡି ସବ୍ଜେଲ୍ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ ଗାଁର ୩୧ ବର୍ଷୀୟ ରୁନା ବଡ଼ରଇତ। ଏକ ପୋକ୍ସୋ ମାମଲାରେ ଅଗଷ୍ଟ ୧୦ରୁ ସେ ନ୍ୟାୟିକ ହାଜତରେ ଥିଲେ। ଶନିବାର ରାତିରେ ହଠାତ୍ ଅସୁସ୍ଥ ହେବା ପରେ ହସ୍ପିଟାଲ୍ ନିଆଯାଇଥିଲା, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ପରିବାର ପକ୍ଷରୁ ତଦନ୍ତ ଦାବି ହୋଇଥିବା ବେଳେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ ।
ଗଜପତି: ପାରଳାଖେମୁଣ୍ଡି ସବ୍ଜେଲ୍ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ ଗାଁର ରୁନା ବଡ଼ରଇତ। ସେ ଏକ ପୋକ୍ସୋ ମାମଲାରେ ବିଚାରାଧୀନ କଏଦୀ ଭାବେ ପାରଳାଖେମୁଣ୍ଡି ସବ୍ଜେଲ୍ରେ ରହିଥିଲେ। ଶନିବାର ରାତିରେ ହଠାତ୍ ଅସୁସ୍ଥ ହେବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜେଲ୍ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ରାତ୍ରିଭୋଜନ ପରେ ରୁନା ଅସୁସ୍ଥ ଅନୁଭବ କରିଥିଲେ। ଜେଲ୍ ଫାର୍ମାସିଷ୍ଟ ତାଙ୍କୁ ପ୍ରାଥମିକ ଚିକିତ୍ସା ଦେବା ପରେ ସ୍ୱାସ୍ଥ୍ୟାବସ୍ଥା ପୁଣି ଖରାପ ହେବାରୁ ହସ୍ପିଟାଲ୍ ନିଆଯାଇଥିଲା। ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାବତ୍ ସ୍ପଷ୍ଟ ହୋଇନାହିଁ।
ଅନ୍ୟପଟେ, ରୁନାଙ୍କ ମୃତ୍ୟୁକୁ ନେଇ ପରିବାର ସନ୍ଦେହ ପ୍ରକାଶ କରିଛି। ପରିବାରର ଦାବି ଅନୁସାରେ, ରୁନା ପୂର୍ବରୁ ସୁସ୍ଥ ଥିଲେ ଏବଂ ଜେଲ୍ରେ ଥିବା ସମୟରେ ମଧ୍ୟ ପରିବାର ସହ ଫୋନ୍ରେ କଥା ହୋଇଥିଲେ। ତେଣୁ ହଠାତ୍ ମୃତ୍ୟୁର ଘଟଣାକୁ ନେଇ ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ। ଘଟଣା ସମ୍ପର୍କରେ ପାରଳାଖେମୁଣ୍ଡି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ କହିଛି, ଇନକ୍ୱେଷ୍ଟ ପରେ ମୃତଦେହର ପୋଷ୍ଟମର୍ଟମ ଓ ଫୋରେନସିକ୍ ପରୀକ୍ଷା କରାଯାଉଛି। ଏହି ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିପାରେ। ରୁନାଙ୍କ ପରିବାରରେ ପତ୍ନୀ ଓ ଏକ ଛୋଟ ଝିଅ ଥିବା ବେଳେ ପତ୍ନୀ ଗର୍ଭବତୀ ଥିବା ପରିବାର ପକ୍ଷରୁ କୁହାଯାଇଛି। ପରିବାରର ମୁଖ୍ୟ ରୋଜଗାରିଆଙ୍କ ମୃତ୍ୟୁ ପରେ ଭରଣପୋଷଣକୁ ନେଇ ଚିନ୍ତା ବଢ଼ିଛି। ପରିବାର ଉପଯୁକ୍ତ କ୍ଷତିପୂରଣ ଦାବି କରିଥିବା ବେଳେ ଦାବି ପୂରଣ ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିବା ରିପୋର୍ଟ ରହିଛି। ତେବେ ଜେଲ୍ ହାଜତରେ ଜଣେ ବିଚାରାଧୀନ କଏଦୀଙ୍କ ହଠାତ୍ ମୃତ୍ୟୁ ପଛରେ ପ୍ରକୃତ କାରଣ କ’ଣ, ତାହା ତଦନ୍ତ ଓ ପୋଷ୍ଟମର୍ଟମ ରିପୋର୍ଟ ପରେ ହିଁ ସ୍ପଷ୍ଟ ହେବ।
