Pm Modi Talk With Captain Smit: ପାଇଲଟ୍ ସ୍ମିତଙ୍କୁ ମୋଦୀଙ୍କ ଫୋନ୍, ଭାବବିହ୍ୱଳ ହେଲେ କ୍ୟାପ୍ଟେନ୍
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫୋନ୍ ପାଇ ଭାବବିହ୍ୱଳ କ୍ୟାପ୍ଟେନ୍ ସ୍ମିତ, କହିଲେ- ‘ଆପଣ ମୋର ସବୁଠୁ ବଡ଼ ଆଦର୍ଶ’।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋନ୍ ପାଇ ଭାବବିହ୍ୱଳ ହୋଇପଡ଼ିଲେ ଭାରତୀୟ କ୍ୟାପ୍ଟେନ୍ ସ୍ମିତ ମଚ୍ଛାର। ୟୁଏଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସ୍ମିତଙ୍କ ସହ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ଫୋନ୍ ରେ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବା ସହ ଶୀଘ୍ର ସୁସ୍ଥତା କାମନା କରିଥିଲେ। ମୋଦୀଙ୍କ ସହ କଥା ହେବା ସମୟରେ ସ୍ମିତ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ତାଙ୍କର ସବୁଠୁ ବଡ଼ ଆଦର୍ଶ ଏବଂ ସେ ସର୍ବଦା ତାଙ୍କୁ ଅନୁସରଣ କରିଆସିଛନ୍ତି। ମୋଦୀଙ୍କ ଫୋନ୍ ଆସିବ ବୋଲି ସେ କେବେ କଳ୍ପନା ମଧ୍ୟ କରିନଥିଲେ ବୋଲି ସ୍ମିତ କହିଥିଲେ।

ସ୍ମିତ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ, ଯେତେବେଳେ ସେ କୌଣସି କଠିନ ପରିସ୍ଥିତିରେ ପଡ଼ନ୍ତି, ସେତେବେଳେ ହନୁମାନ ଚାଳିଶା ପାଠ କରନ୍ତି। ବିମାନର କକପିଟ୍ ଭିତରେ ଛୁରି ଆକ୍ରମଣର ଶିକାର ହୋଇ ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ସମୟରେ ମଧ୍ୟ ସେ ହନୁମାନ ଚାଳିଶା ମନେ ମନେ ପାଠ କରିଥିବା କହିଛନ୍ତି।
ଫ୍ଲାଇଦୁବାଇର ଦୁବାଇ-ତେଲ୍ ଆଭିଭ୍ ବିମାନରେ ଘଟିଥିବା ଘଟଣାରେ କ୍ୟାପ୍ଟେନ୍ ସ୍ମିତଙ୍କ ସାହସ ଓ ଉପସ୍ଥିତ ବୁଦ୍ଧିକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ। କକପିଟ୍ ଭିତରେ ସହ-ପାଇଲଟ୍ଙ୍କ ଆକ୍ରମଣରେ ଆହତ ହୋଇଥିଲେ ମଧ୍ୟ ସ୍ମିତ ହାର ମାନିନଥିଲେ। ଆହତ ଅବସ୍ଥାରେ ସେ କକପିଟ୍ର ଦ୍ୱାର ଖୋଲିବା ପାଇଁ ଡୋର୍ ଲାଚ୍ ଦବାଇଥିଲେ। ଏହାପରେ ଯାତ୍ରୀମାନେ କକପିଟ୍ ଭିତରକୁ ପ୍ରବେଶ କରି ଆକ୍ରମଣକାରୀ ସହ-ପାଇଲଟ୍ଙ୍କୁ କାବୁ କରିଥିବା ଜଣାପଡ଼ିଛି। ସ୍ମିତଙ୍କ ଉପସ୍ଥିତ ବୁଦ୍ଧି ଓ ସାହସ ଯୋଗୁଁ ବିମାନରେ ଥିବା ୧୭୦ରୁ ଅଧିକ ଲୋକଙ୍କ ଜୀବନ ରକ୍ଷା ପାଇଥିବା ଦାବି କରାଯାଇଛି। ଘଟଣାରେ ତାଙ୍କର ସାହସିକତା ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରଧାନମନ୍ତ୍ରୀ ମୋଦୀ ସ୍ମିତଙ୍କ ମା’ ଗୀତା ବେନ୍ଙ୍କ ସହ ମଧ୍ୟ କଥା ହୋଇଥିଲେ। ସ୍ମିତଙ୍କ ଲାଳନପାଳନରେ ଥିବା ମୂଲ୍ୟବୋଧ ଓ ଭଗବଦ୍ଗୀତାର ଶିକ୍ଷାକୁ ମୋଦୀ ପ୍ରଶଂସା କରିଥିଲେ। ସ୍ମିତ ଓ ତାଙ୍କ ପରିବାରକୁ ସମସ୍ତ ପ୍ରକାରର ସମ୍ଭାବ୍ୟ ସହାୟତା, ଆବଶ୍ୟକ ଚିକିତ୍ସା ସହାୟତା ସମେତ ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନ ଦେଇଥିବା ଜଣାପଡ଼ିଛି। କଠିନ ପରିସ୍ଥିତିରେ ଆହତ ହୋଇଥିଲେ ମଧ୍ୟ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଥିବା କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କ ସାହସ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
