Nursing Home Under Scanner :୫ ହଜାର ନେଲେ, ପୁଣି ମାଗିଲେ ୨୦ ହଜାର! ଅଭିଯୋଗ ଘେରରେ ନର୍ସିଂହୋମ
ଆୟୁଷ୍ମାନ କାର୍ଡରେ ମାଗଣା ଚିକିତ୍ସାର ପ୍ରତିଶ୍ରୁତି, ହେଲେ ପରେ ୨୦ ହଜାର ଟଙ୍କା ଦାବି | ଆନନ୍ଦପୁର ନର୍ସିଂହୋମ ବିରୋଧରେ ସଙ୍ଗିନ ଅଭିଯୋଗ, ଥାନାରେ ପହଞ୍ଚିଲେ ରୋଗୀଙ୍କ ସମ୍ପର୍କୀୟ |
ନର୍ସିଂହୋମ ମାଲିକଙ୍କ ଜୁଲମକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ରୋଗୀଙ୍କ ସମ୍ପର୍କୀୟ । ଆନନ୍ଦପୁର ପୌରପରିଷଦର ୧୬ ନମ୍ବର ୱାର୍ଡ ଶୈଲଙ୍ଗ ନିକଟରେ ଥିବା କାଶୀନାଥ ହେଲଥ କେୟାରର ମାଲିକ ଦେବାଶିଷ ଷଡ଼ଙ୍ଗୀଙ୍କ ନାଁ'ରେ ଅଭିଯୋଗ ଆଣିଛନ୍ତି ଜଣେ ରୋଗୀଙ୍କ ଭାଇ। ଆନନ୍ଦପୁର ଥାନା ଅନ୍ତର୍ଗତ ବିରିଡିହା ଗାଁର ଚନ୍ଦନ କୁମାର ଯେନା ତାଙ୍କ ଭଉଣୀ ରଞ୍ଜିତା ଯେନାଙ୍କର ଟ୍ୟୁମର ଅପରେସନ ପାଇଁ କାଶୀନାଥ ହେଲଥ କେୟାରରେ ଭର୍ତ୍ତି କରିଥିଲେ। ପ୍ରଥମେ ସମ୍ପୃକ୍ତ ନର୍ସିଂହୋମର ମାଲିକ ତାଙ୍କୁ ଆୟୁଷ୍ମାନ କାର୍ଡରେ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରିଦେବାର ପ୍ରତିଶୃତି ଦେଇଥିଲେ ହେଲେ ଅପରେସନ ଯେଉଁଦିନ ହେଲା ସେହିଦିନ ବିଭିନ୍ନ ଆଳ ଦେଖାଇ ସମ୍ପୃକ୍ତ ରୋଗୀଙ୍କ ଠାରୁ ୫ ହଜାର ଟଙ୍କା ନେଇଥିଲେ । ପୁନର୍ବାର, ସମ୍ପୃକ୍ତ ରୋଗୀଙ୍କୁ ଡିସ୍ଚାର୍ଜ ନକରି ୨୦ ହଜାର ଟଙ୍କା ଦାବି କରାଯିବାରୁ, ଏତେ ଟଙ୍କା କାହିଁକି ଦେବୁ ବୋଲି ଚନ୍ଦନ ପ୍ରଶ୍ନ କରିଥିଲେ | ଏଥିରେ ଉତକ୍ଷିପ୍ତ ହୋଇ ମାଲିକଜଣକ ତାଙ୍କୁ ଧକ୍କା ମାରି ନର୍ସିଂହୋମରୁ ବାହାର କରିଦେବାର ଥାନାରେ ଅଭିଯୋଗ ହୋଇଛି। ଲିଖିତ ଅଭିଯୋଗ ପାଇବା ପରେ ଘସିପୁରା ଥାନା ଅଧିକାରିଣୀ ନର୍ସିଂହୋମ୍ର ମାଲିକଙ୍କୁ ଥାନାକୁ ଡକାଇ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନକରିବାକୁ ଚେତାବନୀ ଦେଇଛନ୍ତି | ଘଟଣା ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଗୁରୁତ୍ୱ ଦେଇ ସମ୍ପୃକ୍ତ ନର୍ସିଂହୋମ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବୀ କରିଛନ୍ତି |

