'Parvati' Song Trends No.1:ୟୁଟ୍ୟୁବ୍ରେ ଏକ ନମ୍ବରରେ ଟ୍ରେଣ୍ଡ କରୁଛି 'ହନୁମାନ ଅଂଶ'ର 'ପାର୍ବତୀ'
ଏବେଯାଏ 'ହନୁମାନ ଅଂଶ'ର ଚର୍ଚ୍ଚା କମିନଥିବାବେଳେ ଏହି ଫିଲ୍ମର ଗୀତ 'ପାର୍ବତୀ' ୟୁଟ୍ୟୁବ୍ ମ୍ୟୁଜିକ୍ ଚାର୍ଟରେ ଭାରତରେ ନମ୍ବର ୧ ଏବଂ ସାରା ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଟ୍ରେଣ୍ଡ କରୁଛି । ସାଧୁ ତିୱାରୀଙ୍କ ଦ୍ୱାରା ପ୍ରସ୍ତୁତ ବୁନ୍ଦେଲୀ ଲୋକ ସଙ୍ଗୀତ ଧୁନରେ ପ୍ରସ୍ତୁତ ଏହି ଭକ୍ତି ସଙ୍ଗୀତ ୧୦୦ ମିଲିୟନ ଭ୍ୟୁଜ୍ ଅତିକ୍ରମ କରିସାରିଛି।
ନିର୍ଦ୍ଦେଶକ ବିଶାଳ ଚତୁର୍ବେଦୀଙ୍କ ଫିଲ୍ମ ‘ହନୁମାନ ଅଂଶ’ର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବକ୍ସ ଅଫିସରେ ସଫଳତା ପରେ ଏବେ 'ହନୁମାନ ଅଂଶ' ଫିଲ୍ମର ସଙ୍ଗୀତରେ ମଧ୍ୟ ଚମତ୍କାର ଦେଖିବାକୁ ମିଳୁଛି। ସାଧୁ ତିୱାରୀଙ୍କ ଦ୍ୱାରା ଲିଖିତ,ସ୍ୱର ସଂଯୋଜନା ଏବଂ କଣ୍ଠଦାନ କରାଯାଇଥିବା ଏହି ଭକ୍ତି ଗୀତ ‘ପାର୍ବତୀ’ ୟୁଟ୍ୟୁବ୍ରେ ୧୦ କୋଟିରୁ ଅଧିକ ଭ୍ୟୁଜ୍ର ମାଇଲଖୁଣ୍ଟ ଅତିକ୍ରମ କରିସାରିଛି। କେବଳ ଭାରତରେ ହିଁ ଏହାକୁ ୪.୭ କୋଟିରୁ ଅଧିକ ଥର ଦେଖାଯାଇଛି, ଯାହା ଶ୍ରେୟା ଘୋଷାଲଙ୍କ ଗୀତକୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଛି। ଗ୍ଲୋବାଲ ଚାର୍ଟରେ ଏହା କେବଳ ପପ୍ ଷ୍ଟାର୍ ଶକିରାଙ୍କ ଗୀତ ପଛରେ ରହିଛି। ତେବେ,'ପାର୍ବତୀ'ର ଲୋକପ୍ରିୟତା କେବଳ ୟୁଟ୍ୟୁବ୍ରେ ସୀମିତ ନାହିଁ। ଏହି ଗୀତଟି ଏବେ ଇନଷ୍ଟାଗ୍ରାମ ରିଲ୍ସ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଦ୍ରୁତ ଗତିରେ ବ୍ୟବହାର କରାଯାଉଛି। ଏହାର ଧୁନ ଏବଂ ଲୋକ ସଙ୍ଗୀତର ଶୈଳୀ ଲୋକଙ୍କୁ ବେଶ୍ ଆକର୍ଷିତ କରୁଛି।
ନିକଟରେ ଦିଲ୍ଲୀରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଅବସରରେ ଆୟୋଜିତ 'ଭଜନ କ୍ଲବିଂ' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଗୀତର ଲାଇଭ ପ୍ରଦର୍ଶନର ଆନନ୍ଦ ନେଇ କରତାଳି ଦେଇ ଖଞ୍ଜଣୀ ବଜାଇବା ସହ ଏହାର ଭିଡିଓ ସୋସିଆଲ ମିଡିଆରେ ସେୟାର କରି ପ୍ରଶଂସା କରିଛନ୍ତି। ପ୍ରାୟ ୨ କୋଟି ଟଙ୍କାର ବଜେଟ୍ରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରି ବିଶ୍ୱବ୍ୟାପୀ ୪୧୦ କୋଟିରୁ ଅଧିକ ଟଙ୍କା କଲେକ୍ସନ କରିସାରିଛି। ସୂଚନାଯୋଗ୍ୟ ଯେ, 'ହନୁମାନ ଅଂଶ'ର ଏହି ବଡ଼ ସଫଳତା ପରେ ଏବେ ନିମ୍ କରୋଲି ବାବାଙ୍କ ଉପରେ ଏକ ଟିଭି ଶୋ' ମଧ୍ୟ ଆସିବାକୁ ଯାଉଛି।
