Paika Astra Puja:ଜୟପାଟଣା ରାଜବାଟିରେ ପାଇକଙ୍କ ଅସ୍ତ୍ରପୂଜା
ବିଜୟା ଦଶମୀର ପବିତ୍ର ଅବସରରେ ଜୟପାଟଣା ରାଜବାଟିରେ ଦେଖିବାକୁ ମିଳିଲା ପାଇକ ସମାଜର ବୀରତ୍ୱ ଓ ପରମ୍ପରାର ଅନନ୍ୟ ଝଲକ। ପାରମ୍ପରିକ ଅସ୍ତ୍ରପୂଜା ସହ ଯୁଦ୍ଧକଳା ପ୍ରଦର୍ଶନ ଆକର୍ଷଣର କେନ୍ଦ୍ର ପାଲଟିଥିଲା।

ଜୟପାଟଣା:ପବିତ୍ର ବିଜୟା ଦଶମୀ ଅବସରରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ରାଜବାଟିରେ ପାଳିତ ହୋଇଛି ପାଇକ ସମାଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ପୂଜା। ଏହି ଅବସରରେ ପାଇକ ସମାଜର ଯୁବକମାନେ ରାଜବାଟିରେ ଏକତ୍ରିତ ହୋଇ ନିଜର ପାରମ୍ପରିକ ରୀତିନୀତି ଅନୁଯାୟୀ ଅସ୍ତ୍ରଶସ୍ତ୍ରର ପୂଜାର୍ଚ୍ଚନା କରିଥିଲେ। ଏହି ପରମ୍ପରାରେ ରାଜ ପରିବାରର ମଧ୍ୟ ସ୍ୱତନ୍ତ୍ର ଭୂମିକା ରହିଥିଲା। ରାଜ ପରିବାର ପକ୍ଷରୁ ପାଇକ ସମାଜର ସଦସ୍ୟମାନଙ୍କୁ ପାରମ୍ପରିକ ରୀତିରେ ସମ୍ମାନ ଜଣାଇବା ସହ ପୂଜାର୍ଚ୍ଚନା କରାଯାଇଥିଲା। ଏହା ରାଜ ପରିବାର ଓ ପାଇକ ସମାଜ ମଧ୍ୟରେ ରହିଥିବା ପରମ୍ପରାଗତ ସମ୍ପର୍କକୁ ପ୍ରତିଫଳିତ କରିଥିଲା। ପୂଜାର୍ଚ୍ଚନା ପରେ ପାଇକ ଯୁବକମାନେ ତଲୱାର ଚାଳନା ସମେତ ବିଭିନ୍ନ ପାରମ୍ପରିକ ଯୁଦ୍ଧକଳା ଓ କଳାକୌଶଳ ପ୍ରଦର୍ଶନ କରିଥିଲେ। ସେମାନଙ୍କର ଦକ୍ଷତା ଓ ସାହସିକ ପ୍ରଦର୍ଶନ ମାଧ୍ୟମରେ ପାଇକ ସମାଜର ବୀରତ୍ୱପୂର୍ଣ୍ଣ ଇତିହାସର ଝଲକ ଦେଖିବାକୁ ମିଳିଥିଲା।
ବିଜୟା ଦଶମୀରେ ଅସ୍ତ୍ରପୂଜା କେବଳ ଏକ ଧାର୍ମିକ ବିଧି ନୁହେଁ, ବରଂ ପାଇକ ସମାଜର ସାହସ, ଶୌର୍ଯ୍ୟ ଓ ପରମ୍ପରାକୁ ମନେ ପକାଇବାର ଏକ ଅବସର। ଏଭଳି ଆୟୋଜନ ମାଧ୍ୟମରେ ନିଜର ପାରମ୍ପରିକ ଯୁଦ୍ଧକଳା ଓ ଐତିହ୍ୟକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବାର ବାର୍ତ୍ତା ମଧ୍ୟ ମିଳିଛି।
