Ostracized Family:ବାସନ୍ଦ ପରିବାର ସହ କଥା ହେଲେ ୫ ହଜାର ଜରିମାନା
ଗ୍ରାମର ଇଷ୍ଟଦେବତାଙ୍କ ନିକଟରେ ପାଦୁକ ଧରି ନିୟମ, ବାସନ୍ଦ ପରିବାର ସହ କଥା ହେଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ବାଧ୍ୟ | ପୁରୀ ଜିଲ୍ଲା ବ୍ରହ୍ମଗିରିର ଏକ ଗାଁରେ ତିନି ପରିବାରଙ୍କୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ଏବେ ଚର୍ଚ୍ଚାରେ। ଭିଡିଓ ଭାଇରାଲ୍ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ପୁରୀ/ବ୍ରହ୍ମଗିରି: ଏବେବି ଗାଁରେ ଚାଲିଛି ସାମାଜିକ ବାସନ୍ଦର କୁପ୍ରଥା। ବାସନ୍ଦ ପରିବାର ସହ କଥା ହେଲେ ଦେବାକୁ ପଡ଼ିବ ୫ ହଜାର ଟଙ୍କା ଜରିମାନା | ଏପରିକି ଗ୍ରାମର ଇଷ୍ଟଦେବତା ନିଳକଣ୍ଠେଶ୍ୱରଙ୍କ ମନ୍ଦିରରେ ପାଦୁକ ଧରି ଗ୍ରାମବାସୀ ଏଭଳି ନିୟମ କରିଥିବା ସାମ୍ନାକୁ ଆସିଛି। ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ତଦନ୍ତ ଆରମ୍ଭ କରିଛି ବ୍ରହ୍ମଗିରି ପୁଲିସ। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ର ଡିମିରିସେଣା ପଞ୍ଚାୟତ ଅନ୍ତର୍ଗତ ପାରିକୁଳ ଗ୍ରାମରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ୩ଟି ପରିବାର ଭୋଗୁଛନ୍ତି ସାମାଜିକ ବାସନ୍ଦର ଯନ୍ତ୍ରଣା। ଅଭିଯୋଗ ଅନୁସାରେ, ରଞ୍ଜିତା ବିଶ୍ୱାଳ, ରଶ୍ମିତା ଜେନା ଓ ଜସ୍ବଦା ବିଶ୍ବାଳଙ୍କ ପରିବାରକୁ ପ୍ରାୟ ଏକ ବର୍ଷ ହେବ ସାମାଜିକ ବାସନ୍ଦ କରାଯାଇଛି। ଏହା ପଛରେ ରାଜନୈତିକ ଶତ୍ରୁତା ରହିଥିବା ଅଭିଯୋଗ ହୋଇଛି। ଏଥିରେ ଜଣେ ୱାର୍ଡ ସଭ୍ୟାଙ୍କ ପରିବାର ମଧ୍ୟ ସାମିଲ ଥିବା କୁହାଯାଉଛି। ବାସନ୍ଦ ପରିବାରଙ୍କ ସହ କଥାବାର୍ତ୍ତା କିମ୍ବା କୌଣସି ସମ୍ପର୍କ ରଖିବା ଉପରେ କଟକଣା ଲଗାଯାଇଛି। ଏପରିକି ପୋଖରୀ, ମନ୍ଦିର ଓ ରାସ୍ତା ବ୍ୟବହାରରେ ମଧ୍ୟ ସେମାନଙ୍କୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି | ପରିବାରଗୁଡ଼ିକ ଆହୁରି ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି। ଭୟ ମଧ୍ୟରେ ଜୀବନ ବିତାଉଥିବା ଏହି ପରିବାରଗୁଡ଼ିକ ପ୍ରଶାସନ ନିକଟରେ ନ୍ୟାୟ ପାଇଁ ଗୁହାରି କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମିଳିନି କୈାଣସି ସୁଫଳ।ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ବାସନ୍ଦ କରାଯାଇଥିବା ସୂଚନା ମିଳିଥିବା ବେଳେ ଅଭିଯୋଗଗୁଡ଼ିକର ସତ୍ୟତା, ବାସନ୍ଦ ପଛର ପ୍ରକୃତ କାରଣ ଏବଂ ଆକ୍ରମଣ ଘଟଣାର ତଥ୍ୟ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ତେବେ,ଏନେଇ ପ୍ରଶାସନର ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର ରହିଛି।
