Orangutan: ଓରାଙ୍ଗଉଟାନ୍ ରହସ୍ୟ: STF ତଦନ୍ତ ଜୋରଦାର
ଭୋଗରାଇ ବଡ଼ପାହି ଜଙ୍ଗଲରୁ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାର ତଦନ୍ତ ଜୋରଦାର କରିଛି STF । CCTVରେ ଦେଖାଯାଇଥିବା କଳା ଥାର୍ ଗାଡ଼ି, ସମ୍ଭାବ୍ୟ ଜଳପଥ ଓ ପଶ୍ଚିମବଙ୍ଗ ରୁଟ୍କୁ ନେଇ ଛାନଭିନ୍ ଚାଲିଛି । ଅନ୍ୟପଟେ ନନ୍ଦନକାନନରେ ଓରାଙ୍ଗଉଟାନ୍ମାନଙ୍କୁ କ୍ୱାରେଣ୍ଟାଇନ୍ରେ ରଖି ସ୍ୱାସ୍ଥ୍ୟ ପରୀକ୍ଷା ସହ DNA ନମୁନା ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଛି । ତେବେ ସେମାନେ କେଉଁଠାରୁ ଆସିଲେ ଓ କିଏ ଆଣିଲା, ତାହା ଏବେ ବଡ଼ ପ୍ରଶ୍ନ ।

ବାଲେଶ୍ୱର ଜିଲ୍ଲା ଭୋଗରାଇ ବଡ଼ପାହି ଜଙ୍ଗଲରୁ ବିରଳ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାକୁ ନେଇ ରହସ୍ୟ ବଢିବାରେ ଲାଗିଛି । ଭାରତରେ ବିରଳ ଏହି ପ୍ରାଣୀ ଭୋଗରାଇ ଜଙ୍ଗଲକୁ କେମିତି ଆସିଲା, କିଏ ଆଣିଲା ଓ କିଏ ଛାଡ଼ିଲା—ତାହା ଏବେ ତଦନ୍ତର ପ୍ରମୁଖ ପ୍ରସଙ୍ଗ ପାଲଟିଛି । ଘଟଣାର ତଦନ୍ତ ପାଇଁ STFର ପାଞ୍ଚଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିବା ସହ ଘଟଣାସ୍ଥଳର ପାରିପାର୍ଶ୍ୱିକ ପରିସ୍ଥିତି ଯାଞ୍ଚ କରାଯାଇଛି । ସେପଟେ ରାତି ପ୍ରାୟ ୧୧ଟା ୪୫ରେ CCTVରେ କଏଦ ହୋଇଥିବା ଏକ କଳା ଥାର୍ ଗାଡ଼ି ଏବେ STFର ସନ୍ଦେହ ବଢାଇଛି । ଗାଡ଼ିଟି କାହାର, କେଉଁଠାରୁ ଆସିଥିଲା ଏବଂ ଓରାଙ୍ଗଉଟାନ୍ମାନଙ୍କୁ ଏଠାକୁ ଆଣିବାରେ ଏହାର କୌଣସି ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ତଦନ୍ତ ଚାଲିଛି । ଭୋଗରାଇରେ ତଦନ୍ତ ପରେ STF ଟିମ୍ ପଶ୍ଚିମବଙ୍ଗର କୋଷ୍ଟାଲ ଥାନାକୁ ଯାଇଥିବା ଜଣାପଡ଼ିଛି । ଜଳପଥ ଦେଇ ପଶ୍ଚିମବଙ୍ଗ ମାଧ୍ୟମରେ ଓରାଙ୍ଗଉଟାନ୍ମାନଙ୍କୁ ଓଡ଼ିଶା ଅଣାଯାଇଥିବା ସମ୍ଭାବନାକୁ ନେଇ ମଧ୍ୟ ତଦନ୍ତ କରାଯାଉଛି । ଦୀଘା ମୁହାଣ କୋଷ୍ଟାଲ ଥାନାର CCTV ଯାଞ୍ଚ କରିବ STF । ଅନ୍ୟପଟେ ଉଦ୍ଧାର ଓରାଙ୍ଗଉଟାନ୍ମାନଙ୍କୁ ନନ୍ଦନକାନନର ସଂଘରୋଧ ଗୃହରେ ରଖାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ଜଣଙ୍କର ଜ୍ୱର ଥିବା ବେଳେ ଅନ୍ୟ ଦୁଇ ଜଣଙ୍କଠାରେ ଥଣ୍ଡାର ଲକ୍ଷଣ ଦେଖାଯାଇଥିଲା । ଆବଶ୍ୟକ ଚିକିତ୍ସା ପରେ ସେମାନଙ୍କୁ ନିରୀକ୍ଷଣରେ ରଖାଯାଇଛି । ଆଗାମୀ ଦିନରେ ଓରାଙ୍ଗଉଟାନ୍ମାନଙ୍କର DNA ସମେତ ବିଭିନ୍ନ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ । ଏହି ରିପୋର୍ଟ ଆସିବା ପରେ ସେମାନଙ୍କ ପ୍ରଜାତି ଓ ଉତ୍ସ ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିପାରେ । ତେବେ ସବୁଠାରୁ ବଡ଼ ପ୍ରଶ୍ନ—ଭାରତରେ ବିରଳ ଓରାଙ୍ଗଉଟାନ୍ ଭୋଗରାଇ ଜଙ୍ଗଲକୁ ଆସିଲା କେମିତି? ଏହା ପଛରେ କୌଣସି ବନ୍ୟଜନ୍ତୁ ଚୋରାଚାଲାଣ ଲିଙ୍କ୍ ଅଛି କି? ଏସବୁ ପ୍ରଶ୍ନର ଉତ୍ତର STF ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।
