OJC protests : ରାସ୍ତା ମରାମତିର ମହଲତ ଦେଲା ଓଜେସି- ନଚେତ ଘେରାଓ
କଟକର ବିପର୍ଯ୍ୟସ୍ତ ରାସ୍ତା ମରାମତି ଦାବି କରିଛି ଓଜେସି | ୧୦ ଦିନ ମଧ୍ୟରେ ସମାଧାନ ନହେଲେ ଘେରାଉ କରିବେ ବୋଲି ଚେତାବନୀ ଦେଲା ଓଜେସି |
କଟକ ସହରର ବିଭିନ୍ନ ଗଳିକନ୍ଦିଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତାଘାଟ ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଅନେକ ସ୍ଥାନରେ ରାସ୍ତାର ଅବସ୍ଥା ଖରାପ ଥିବାରୁ ସାଧାରଣ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ଆସିଛି। ରାସ୍ତାଘାଟର ମରାମତି ଓ ରକ୍ଷଣାବେକ୍ଷଣ ଦିଗରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରିଛି ଓଡ଼ିଶା ଜନତା କଂଗ୍ରେସ (ଓଜେସି)। ଏହାକୁ ନେଇ ଓଜେସି ପକ୍ଷରୁ କଟକ ଗ୍ରାମାଞ୍ଚଳ ଏସ୍ପିଙ୍କ କାର୍ଯ୍ୟାଳୟ ନିକଟରୁ ଏକ ରାଲି ବାହାରିଥିଲା। କର୍ମୀମାନେ ରାଲିରେ ଆସି ପ୍ରତିବାଦ କରିବା ସହ କଟକ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ | ଓଜେସି ପକ୍ଷରୁ ରାସ୍ତାଘାଟର ମରାମତି କାର୍ଯ୍ୟ '୧୦ ଦିନ ମଧ୍ୟରେ ଶେଷ କରିବାକୁ' ଦାବି କରାଯାଇଛି। ଏହି ସମୟ ମଧ୍ୟରେ ସମସ୍ୟାର ସମାଧାନ ନହେଲେ କଟକ ମହାନଗର ନିଗମ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଓଜେସି ପକ୍ଷରୁ ଚେତାବନୀ ଦିଆଯାଇଛି। ତେବେ ଓଜେସିର ଅଭିଯୋଗ ଓ ଦାବି ନେଇ ପ୍ରଶାସନ ପକ୍ଷରୁ ତତ୍କାଳ କୌଣସି ପ୍ରତିକ୍ରିୟା ମିଳିନାହିଁ |
