Heavy Rain Alert Odisha:ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା
ସେପ୍ଟେମ୍ବର ୨୩ ରାତିରେ ଚିଲିକା ନିକଟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଡକ୍ଟର ସାହୁ କହିଛନ୍ତି । ତେବେ ଲଘୁଚାପର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇନଥିବା ବେଳେ କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ, ସେ ନେଇ ଏବେ ବି ଅନିଶ୍ଚିତତା ରହିଛି । ଏହା ଦକ୍ଷିଣ ଓଡ଼ିଶା ଏବଂ ସଂଲଗ୍ନ ଉତର ଆନ୍ଧ୍ରପ୍ରଦେଶ ଅଂଚଳରେ ମଧ୍ୟ କିଛି ସମୟ ସ୍ଥିର ରହିପାରେ ।

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଚଳିତ ସପ୍ତାହରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହି ଲଘୁଚାପ କ୍ଷେତ୍ର ସୋମବାର ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହୋଇପାରେ ବୋଲି ପୂର୍ବତନ ପାଣିପାଗ ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି । ଲଘୁଚାପ କ୍ଷେତ୍ରର ଘନୀଭୂତ ପ୍ରକ୍ରିୟା ବର୍ତମାନ ପରିସ୍ଥିତିରେ ଅତ୍ୟନ୍ତ ଧୀର ଅବସ୍ଥାରେ ରହିଥିବାବେଳେ ଏହା ପଶ୍ଚିମ-ଉତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ସେପ୍ଟେମ୍ବର ୨୨ ସନ୍ଧ୍ୟା ସୁଦ୍ଧା ଏହା ଗଭୀର ଅବପାତର ରୂପ ନେବାର ସମ୍ଭାବନା ଥିବା ବେଳେ ସେପ୍ଟେମ୍ବର ୨୩ ରାତିରେ ଚିଲିକା ନିକଟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଡକ୍ଟର ସାହୁ କହିଛନ୍ତି । ତେବେ ଲଘୁଚାପର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇନଥିବା ବେଳେ କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ, ସେ ନେଇ ଏବେ ବି ଅନିଶ୍ଚିତତା ରହିଛି । ଏହା ଦକ୍ଷିଣ ଓଡ଼ିଶା ଏବଂ ସଂଲଗ୍ନ ଉତର ଆନ୍ଧ୍ରପ୍ରଦେଶ ଅଂଚଳରେ ମଧ୍ୟ କିଛି ସମୟ ସ୍ଥିର ରହିପାରେ ।ସେପ୍ଟେମ୍ବର ୨୨ ଅପରାହ୍ଣ ସୁଦ୍ଧା ଲଘୁଚାପର ଗତିପଥ ଓ ସମ୍ଭାବ୍ୟ ସ୍ଥଳଭାଗ ଛୁଇଁବା ସ୍ଥାନ ସଂପର୍କରେ ଚିତ୍ର ଅଧିକ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।ସ୍ଥଳଭାଗ ଛୁଇଁବା ପରେ ଏହା ଦିଗ ପରିବର୍ତନ କରି ପ୍ରଥମେ ଉତ୍ତର ଏବଂ ପରେ ଉତ୍ତର-ପୂର୍ବ ଦିଗକୁ ଗତି କରି ଝାଡ଼ଖଣ୍ଡ ଆଡ଼କୁ ଯାଇପାରେ ବୋଲି ଡକ୍ଟର ସାହୁ କହିଛନ୍ତି ।ଏହାର ପ୍ରଭାବରେ ସେପ୍ଟେମ୍ବର ୨୨ରୁ ୨୩ ମଧ୍ୟରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।ଏହି ସମୟରେ ଖୋର୍ଦ୍ଧା, କଟକ ଓ ନୟାଗଡ଼ ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସେପ୍ଟେମ୍ୱର ୨୩ରୁ ୨୬ ମଧ୍ୟରେ ପ୍ରବଳ ବର୍ଷାର ପ୍ରଭାବ ଓଡ଼ିଶାର ଉତର ଓ ପଶ୍ଚିମ ଜିଲ୍ଲାଗୁଡ଼ିକ ଆଡ଼କୁ ସ୍ଥାନାନ୍ତରିତ ହୋଇପାରେ ।ଲଗାଣ ବର୍ଷା ଯୋଗୁଁ ମହାନଦୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀ ପ୍ରଣାଳୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ଡ. ସାହୁ ସତର୍କ କରିଛନ୍ତି ।
