Digital Payment: SUJOGରେ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ସୁଦୃଢ଼
ସହରାଞ୍ଚଳରେ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାକୁ ସୁଦୃଢ଼ କରିବ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ- SBIePay ସହଭାଗିତା । "SUJOG" ଜରିଆରେ ନାଗରିକଙ୍କୁ ମିଳିବ ସୁରକ୍ଷିତ, ସୁବିଧାଜନକ ଓ ସହଜ ଡିଜିଟାଲ୍ ପେମେଣ୍ଟ ସୁବିଧା ।

ଭୁବନେଶ୍ୱର: ଓଡ଼ିଶାର ସହରାଞ୍ଚଳରେ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପେମେଣ୍ଟ ଆଗ୍ରିଗେଟର୍ ସେବା SBIePay ମଧ୍ୟରେ ଚୁକ୍ତି (MoU) ସ୍ୱାକ୍ଷରିତ ହୋଇଛି। ଏହି ସହଭାଗିତା ମାଧ୍ୟମରେ ‘SUJOG’ ପ୍ଲାଟଫର୍ମରେ ନାଗରିକଙ୍କ ପାଇଁ ଅଧିକ ସୁରକ୍ଷିତ, ସହଜ ଓ ସୁବିଧାଜନକ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ଉପଲବ୍ଧ ହେବ। ନାଗରିକମାନେ ବିଭିନ୍ନ ପୌର ସେବା, ଟିକସ, ଫି’ ଏବଂ ୟୁଟିଲିଟି ଚାର୍ଜ ଅନ୍ଲାଇନ୍ରେ ପୈଠ କରିପାରିବେ।
ଏକାଧିକ ଡିଜିଟାଲ୍ ପେମେଣ୍ଟ ବିକଳ୍ପ
SUJOG ମାଧ୍ୟମରେ ଇଣ୍ଟରନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ ଓ ଡିଜିଟାଲ୍ ୱାଲେଟ୍ ଭଳି ବିଭିନ୍ନ ଡିଜିଟାଲ୍ ପେମେଣ୍ଟ ବିକଳ୍ପ ନାଗରିକଙ୍କୁ ମିଳିବ। ଏହା ଫଳରେ ନିୟମିତ ପୌର କାରବାର ପାଇଁ ନାଗରିକଙ୍କୁ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା କମିବ।
T+1 ଆଧାରରେ ଅର୍ଥ ସେଟଲମେଣ୍ଟ
ଏହି ବ୍ୟବସ୍ଥାର ଅନ୍ୟତମ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ସୁଗମ ଅର୍ଥ ସେଟଲମେଣ୍ଟ। ପେମେଣ୍ଟ ଗେଟୱେ ମାଧ୍ୟମରେ ସଂଗୃହୀତ ଅର୍ଥ ସମ୍ପୃକ୍ତ ପୌର ସଂସ୍ଥାଗୁଡ଼ିକର ନିର୍ଦ୍ଦିଷ୍ଟ ବ୍ୟାଙ୍କ ଖାତାକୁ T+1 ବ୍ୟବସାୟିକ ଦିବସ ଆଧାରରେ ସିଧାସଳଖ ସେଟଲମେଣ୍ଟ କରାଯିବ। ଏହା ମାଧ୍ୟମରେ ଅର୍ଥ ସଂଗ୍ରହର ସ୍ୱଚ୍ଛ ହିସାବ, ମେଳକରଣ ଓ ଟ୍ରାକିଂ ସହଜ ହେବ। ଫଳରେ ଡିଜିଟାଲ୍ ପେମେଣ୍ଟ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଦକ୍ଷତା ବୃଦ୍ଧି ପାଇବ।
କିଏ କଲେ MoUରେ ସ୍ୱାକ୍ଷର?
ଓଡ଼ିଶା ସରକାରଙ୍କ ପକ୍ଷରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ସୁଭେନ୍ଦୁ ସାହୁ ଏବଂ SBI ପକ୍ଷରୁ DGM, D&TB ସୁଶାନ୍ତ କୁମାର ଦାଶ MoUରେ ସ୍ୱାକ୍ଷର କରିଥିଲେ। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଉପସ୍ଥିତିରେ ଏହି MoU ସ୍ୱାକ୍ଷରିତ ହୋଇଥିଲା। ଏହି ଅବସରରେ SBI ଓଡ଼ିଶା ସର୍କଲ୍ର ମୁଖ୍ୟ ମହାପ୍ରବନ୍ଧକ ରାକେଶ ଯାଦବ ମଧ୍ୟ ଉପସ୍ଥିତ ଥିଲେ।
ଡିଜିଟାଲ୍ ନଗର ଶାସନକୁ ମିଳିବ ଗତି
ଏହି ସହଭାଗିତା ଓଡ଼ିଶାର ଡିଜିଟାଲ୍ ସହରାଞ୍ଚଳ ଶାସନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ପୌର ସେବା ସହ ସୁରକ୍ଷିତ ପେମେଣ୍ଟ ଗେଟୱେର ସମନ୍ୱୟ ଫଳରେ ସହରାଞ୍ଚଳ ଟିକସ, ଫି’ ଓ ୟୁଟିଲିଟି ଚାର୍ଜ ପୈଠ ପ୍ରକ୍ରିୟା ଅଧିକ ସରଳ ଓ ଦ୍ରୁତ ହୋଇପାରିବ।
ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, SUJOG ପ୍ଲାଟଫର୍ମକୁ ସୁଦୃଢ଼ କରିବାରେ SBIର ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ଏହି ସହଭାଗିତା ଡିଜିଟାଲ୍ ମାଧ୍ୟମରେ ନାଗରିକ ସେବାର ସୁବିଧା, ଦକ୍ଷତା ଓ ସହଜଲଭ୍ୟତାକୁ ଆହୁରି ବଢ଼ାଇବ। ଅନ୍ୟପକ୍ଷରେ, SBI ଓଡ଼ିଶା ସର୍କଲ୍ର ମୁଖ୍ୟ ମହାପ୍ରବନ୍ଧକ ରାକେଶ ଯାଦବ, ଏହି ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନ ଏବଂ SUJOG ଅଧୀନରେ ଡିଜିଟାଲ୍ ପେମେଣ୍ଟ ପରିବେଶକୁ ଆହୁରି ସୁଦୃଢ଼ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦିଆଯିବ ବୋଲି ଆଶ୍ୱାସନ ଦେଇଥିଲେ।
