MICE Policy in Focus : ଓଡ଼ିଶାରେ ଖୋଲିବ ନିବେଶ ଓ ପର୍ଯ୍ୟଟନର ନୂଆ ଦ୍ୱାର
ଓଡ଼ିଶାରେ ମିଟିଂ, ଇନ୍ସେଣ୍ଟିଭ୍, କନଫରେନ୍ସ ଓ ଏକ୍ସଜିବିସନ୍ ପର୍ଯ୍ୟଟନର ବିକାଶ ଏବଂ ଏକ ଦୃଢ଼ MICE ନୀତି ପ୍ରସ୍ତୁତି ନେଇ ପର୍ଯ୍ୟଟନ ବିଭାଗ ଓ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI)ର ମିଳିତ ଆନୁକୂଲ୍ୟରେ ଗତକାଲି ମେଫେୟାର ସାଙ୍କଚୁଆରୀଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା | ‘ଓଡ଼ିଶା ପାଇଁ ଏକ ମଜବୁତ MICE ନୀତି ପ୍ରସ୍ତୁତି ଓ ସହଯୋଗ’ ଶୀର୍ଷକ ଏହି ବୈଠକ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬ର ଅଂଶବିଶେଷ ଭାବେ ଆୟୋଜିତ ହୋଇଥିଲା |

ଓଡ଼ିଶାରେ MICE ପର୍ଯ୍ୟଟନକୁ ନୂଆ ଗତି | ଓଡ଼ିଶାରେ ମିଟିଂ, ଇନ୍ସେଣ୍ଟିଭ୍, କନଫରେନ୍ସ ଓ ଏକ୍ସଜିବିସନ୍ (MICE) ପର୍ଯ୍ୟଟନର ବିକାଶ ଏବଂ ଏକ ଦୃଢ଼ MICE ନୀତି ପ୍ରସ୍ତୁତି ନେଇ ପର୍ଯ୍ୟଟନ ବିଭାଗ ଓ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI)ର ମିଳିତ ଆନୁକୂଲ୍ୟରେ ଗତକାଲି ମେଫେୟାର ସାଙ୍କଚୁଆରୀଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା | ‘ଓଡ଼ିଶା ପାଇଁ ଏକ ମଜବୁତ MICE ନୀତି ପ୍ରସ୍ତୁତି ଓ ସହଯୋଗ’ (Inputs on Creating Robust MICE Policy for Odisha and Collaborations) ଶୀର୍ଷକ ଏହି ବୈଠକ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬ର ଅଂଶବିଶେଷ ଭାବେ ଆୟୋଜିତ ହୋଇଥିଲା | ଏଥିରେ ରାଜ୍ୟରେ MICE ପରିସଂସ୍ଥାର ବିସ୍ତାର, ନିବେଶ ସୁଯୋଗ ଓ ଶିଳ୍ପ ସହଯୋଗ ନେଇ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଶିଳ୍ପପତି ଓ ପ୍ରମୁଖ ଅଂଶୀଦାରମାନେ ଆଲୋଚନା କରିଥିଲେ | ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ ‘ଓଡ଼ିଶା MICE ଇନ୍ସେଣ୍ଟିଭ୍ ପୋର୍ଟାଲ୍’ର ଶୁଭାରମ୍ଭ କରିଥିଲେ | ଏହି ପୋର୍ଟାଲ୍ ମାଧ୍ୟମରେ କର୍ପୋରେଟ୍ ସମ୍ମିଳନୀ ଓ ଅନ୍ୟାନ୍ୟ MICE ଆୟୋଜନ ପାଇଁ ରାଜ୍ୟର ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଉପଯୋଗ କରିବା ସହ ଆୟୋଜକ ଓ ପର୍ଯ୍ୟଟନ ସଂସ୍ଥାଗୁଡ଼ିକ ପାଇଁ ଆର୍ଥିକ ପ୍ରୋତ୍ସାହନ ଆବେଦନ ପ୍ରକ୍ରିୟାକୁ ସରଳ କରାଯିବ | ଏହା ମାଧ୍ୟମରେ ଓଡ଼ିଶା MICE କ୍ଷେତ୍ରରେ ନୂତନ ନିବେଶ ଓ ଆୟୋଜନକୁ ପ୍ରୋତ୍ସାହନ ଦେବା ଦିଗରେ ଆଗୁଆ ଭୂମିକା ନେଇଛି | ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ଶ୍ରୀମତୀ ପରିଡ଼ା କହିଥିଲେ ଯେ, MICE, ଡେଷ୍ଟିନେସନ୍ ୱେଡିଂ, କ୍ରୀଡ଼ା ଆୟୋଜନ ଓ ସାଂସ୍କୃତିକ ଐତିହ୍ୟ ପ୍ରକଳ୍ପଗୁଡ଼ିକୁ ଦ୍ରୁତ ମଞ୍ଜୁରୀ ପ୍ରଦାନ କରିବା ପାଇଁ ସରକାର ପ୍ରତିବଦ୍ଧ | “ଆମର ନିଷ୍ଠାପର ପର୍ଯ୍ୟଟନ ଟିମ୍ ପ୍ରକଳ୍ପ ମଞ୍ଜୁରୀ ପ୍ରକ୍ରିୟାକୁ ସରଳ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି, ଯାହା ଏକ ପ୍ରଗତିଶୀଳ ଓଡ଼ିଶାର ବଦଳୁଥିବା ଚେହେରାକୁ ପ୍ରତିଫଳିତ କରୁଛି,” ବୋଲି ସେ କହିଥିଲେ | ଉପମୁଖ୍ୟମନ୍ତ୍ରୀ ଡେଷ୍ଟିନେସନ୍ ୱେଡିଂ ଏବଂ ମନ୍ଦିର ବିବାହ ପ୍ରତି ବଢ଼ୁଥିବା ଆଗ୍ରହ ଉପରେ ମଧ୍ୟ ଆଲୋକପାତ କରିଥିଲେ | ଭୁବନେଶ୍ୱର ‘ମନ୍ଦିରମାଳିନୀ ସହର’ ହୋଇଥିବାରୁ ଯୁବପିଢ଼ି ପାଇଁ ଏଠାରେ ବିବାହ ଓ ଭ୍ରମଣକୁ ଏକ ଅନନ୍ୟ ଅନୁଭୂତିରେ ପରିଣତ କରିବାର ବ୍ୟାପକ ସୁଯୋଗ ରହିଛି | ମନୋରମ ଫଟୋସୁଟ୍ ସ୍ଥଳୀଠାରୁ ଆରମ୍ଭ କରି ଆଞ୍ଚଳିକ ଖାଦ୍ୟ ଭ୍ରମଣ ପର୍ଯ୍ୟନ୍ତ ରାଜ୍ୟରେ ବିପୁଳ ସମ୍ଭାବନା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ | ପର୍ଯ୍ୟଟନ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ବଳବନ୍ତ ସିଂ ‘ଓଡ଼ିଶା ପର୍ଯ୍ୟଟନ ନିବେଶ ନୀତି’ ଉପରେ ଏକ ଉପସ୍ଥାପନା ଦେଇ ରାଜ୍ୟରେ ଉପଲବ୍ଧ ବିଭିନ୍ନ ବ୍ୟବସାୟିକ ଓ ନିବେଶ ସୁଯୋଗ ସମ୍ପର୍କରେ ଅବଗତ କରାଇଥିଲେ | ଆଲୋଚନାରେ ଅଂଶଗ୍ରହଣ କରିଥିବା ପ୍ରତିନିଧିମାନେ କହିଥିଲେ ଯେ, ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନା କେବଳ ପାରମ୍ପରିକ ଭ୍ରମଣସ୍ଥଳୀରେ ସୀମିତ ନୁହେଁ | ରାଜ୍ୟର ଐତିହାସିକ ମନ୍ଦିର, ବୌଦ୍ଧ ସ୍ଥଳୀ, ସମୁଦ୍ରକୂଳ, ପାରମ୍ପରିକ କଳା, ହସ୍ତଶିଳ୍ପ ଓ ଖାଦ୍ୟ ସଂସ୍କୃତି MICE ଓ ଅନୁଭୂତିଭିତ୍ତିକ ପର୍ଯ୍ୟଟନ ପାଇଁ ନୂତନ ସୁଯୋଗ ସୃଷ୍ଟି କରିପାରିବ | FICCI MICE ପର୍ଯ୍ୟଟନ କମିଟିର ଅଧ୍ୟକ୍ଷ ଶ୍ରୀ ସବ୍ବାସ ଜୋସେଫ୍ ଓଡ଼ିଶାର ସାଂସ୍କୃତିକ ସମ୍ପଦର ରଣନୈତିକ ଉପଯୋଗ ନେଇ ଏକ ବ୍ଲୁ-ପ୍ରିଣ୍ଟ ଉପସ୍ଥାପନ କରିଥିଲେ | ଓଡ଼ିଆ ଖାଦ୍ୟ ସଂସ୍କୃତିର ବ୍ରାଣ୍ଡ ଆମ୍ବାସାଡର ତଥା ସେଲିବ୍ରିଟି ସେଫ୍ ଶ୍ରୀ ରଣବୀର ବ୍ରାର ସାଂସ୍କୃତିକ ପ୍ରାମାଣିକତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ | ତାଙ୍କ ମତରେ, ଉଚ୍ଚକୋଟୀର ଭ୍ରମଣ କେବଳ ଅଧିକ ଖର୍ଚ୍ଚ ଉପରେ ନୁହେଁ, ବରଂ ଦୁର୍ଲଭତା, ସ୍ଥାନୀୟତା ଓ ସାଂସ୍କୃତିକ ଅନୁଭୂତି ଉପରେ ନିର୍ଭର କରେ | ସେ କେବଳ ସଭାସ୍ଥଳୀ ନୁହେଁ, ସ୍ଥାନୀୟ କାହାଣୀକାର, ରାନ୍ଧୁଣିଆ, ପାରମ୍ପରିକ ରେସିପି, ବଜାର ଓ ଆଞ୍ଚଳିକ ପର୍ବପର୍ବାଣୀକୁ ଚିହ୍ନଟ କରିବା ପାଇଁ ଏକ "୧୦୦ ଦିନିଆ ମ୍ୟାପିଂ ଅଭିଯାନ " ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲେ | ଏହି ବୈଠକ ନୀତି ନିର୍ଦ୍ଧାରକ, ଶିଳ୍ପଜଗତ ଓ ଘରୋଇ କ୍ଷେତ୍ରର ପ୍ରମୁଖ ଅଂଶୀଦାରମାନଙ୍କ ମଧ୍ୟରେ ସହଯୋଗ ଓ ସମନ୍ୱୟ ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ସାବ୍ୟସ୍ତ ହୋଇଥିଲା | ଏହା ମାଧ୍ୟମରେ ଓଡ଼ିଶାକୁ ଏକ ପ୍ରମୁଖ MICE, ଡେଷ୍ଟିନେସନ୍ ୱେଡିଂ ଓ ଅନୁଭୂତିଭିତ୍ତିକ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ବିକଶିତ କରିବାର ଦିଗରେ ନୂତନ ସମ୍ଭାବନା ଉନ୍ମୋଚିତ ହୋଇଛି |

