Cyclone Scare in Odisha: ୨୬ ଜିଲ୍ଲାକୁ ଆଲର୍ଟ, ଚେତାବନୀ ଦେଲେ ମନୋରମା ମହାନ୍ତି
ଓଡ଼ିଶାରେ ବାତ୍ୟା ‘ଅର୍ଣ୍ଣବ’ ଆଶଙ୍କା! ୨ ଜିଲ୍ଲାକୁ ରେଡ୍, ୯ ଜିଲ୍ଲାକୁ ଅରେଞ୍ଜ ଓ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ। ଅତି ପ୍ରବଳ ବର୍ଷା ସହ ୧୫୦ କିମି ବେଗରେ ପବନ ବହିବା ସମ୍ଭାବନା। ସତର୍କ ରୁହନ୍ତୁ, ପ୍ରଶାସନର ନିର୍ଦ୍ଦେଶ ମାନନ୍ତୁ!

ଆସନ୍ତା ୨୪ ଘଣ୍ଟା ପାଇଁ ଓଡ଼ିଶାର ୨ଟି ଜିଲ୍ଲାକୁ ରେଡ୍ ଆଲର୍ଟ, ୯ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଏବଂ ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି।ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ଏବଂ ଝଟକା ପବନର ବେଗ ୫୦ କିଲୋମିଟର ରହିବା ଆଶଙ୍କା ରହିଛି। ସେହିପରି କୋରାପୁଟ ଓ ମାଲକାନଗିରିରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ସହ ଝଟକା ପବନର ବେଗ ୭୦ କିଲୋମିଟର ଛୁଇଁପାରେ।ରାୟଗଡ଼ା, କନ୍ଧମାଳ, ନୟାଗଡ଼, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଏହି ଅଞ୍ଚଳଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।ଅନ୍ୟପଟେ ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ଘଣ୍ଟାପ୍ରତି ପ୍ରାୟ ୨୦ କିଲୋମିଟର ବେଗରେ ଆଗକୁ ବଢ଼ୁଛି। ଏହା ବିଶାଖାପାଟଣାଠାରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ୨୨୦ କିଲୋମିଟର, କାକିନାଡ଼ାଠାରୁ ପୂର୍ବ-ଦକ୍ଷିଣପୂର୍ବରେ ୨୪୦ କିଲୋମିଟର ଏବଂ ଗୋପାଳପୁରଠାରୁ ଦକ୍ଷିଣରେ ୩୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଥିବା ସୂଚନା ମିଳିଛି। ସ୍ଥଳଭାଗ ଅତିକ୍ରମ ସମୟରେ ବାତ୍ୟାର ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୫୦ କିଲୋମିଟର ଛୁଇଁପାରେ।ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ବାତ୍ୟାଟି ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନରେ ବାପଟଲା ଓ ବିଶାଖାପାଟଣା ମଧ୍ୟରେ ୟାନମ୍ ନିକଟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ସତର୍କ ରହିବା ସହ ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।

