Src Press Conference: ବାତ୍ୟା ‘ଅର୍ଣ୍ଣବ’କୁ ନେଇ SRCଙ୍କ ସାମ୍ବାଦିକ ସମ୍ମିଳନୀ, ୮ ଜିଲ୍ଲାରୁ ୨୮ ହଜାର ଲୋକ ସ୍ଥାନାନ୍ତର
ବାତ୍ୟା ଅର୍ଣ୍ଣବକୁ ନେଇ SRC ରାଜେଶ ପ୍ରଭାକର ପାଟିଲଙ୍କ ସୂଚନା। ୮ ଜିଲ୍ଲାରୁ ୨୮ ହଜାର ଲୋକ ସ୍ଥାନାନ୍ତର, ଗଜପତି ଓ ଗଞ୍ଜାମରେ ପ୍ରବଳ ବର୍ଷା ଆଶଙ୍କା।
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’କୁ ନେଇ SRC ରାଜେଶ ପ୍ରଭାକର ପାଟିଲଙ୍କ ସାମ୍ବାଦିକ ସମ୍ମିଳନୀ। ରାତି ୨ଟାରୁ ଆରମ୍ଭ ହୋଇଥିବା ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସକାଳ ୮ଟା ସୁଦ୍ଧା ଶେଷ ହୋଇଛି। ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ନିୟନ୍ତ୍ରଣରେ ରହିଥିବା ସୂଚନା ଦେଇଛନ୍ତି SRC। ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ‘ଅର୍ଣ୍ଣବ’ ମାଲକାନଗିରି ଜିଲ୍ଲାରେ ପହଞ୍ଚିବାର ଆକଳନ କରାଯାଇଛି। ଏହାର ପ୍ରଭାବରେ ଘଣ୍ଟାପ୍ରତି ୭୫ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ହୋଇପାରେ। ମାଲକାନଗିରିରେ ପହଞ୍ଚିବା ପରେ ବାତ୍ୟା ଦୁର୍ବଳ ହୋଇ ଡିପ୍ରେସନ୍ରେ ପରିଣତ ହେବ। ଏହାର ପ୍ରଭାବରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବର୍ଷା ହେବା ସହ କ୍ଷୟକ୍ଷତିର ଆଶଙ୍କା ରହିଛି।
ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ସମେତ ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ ଅଞ୍ଚଳରେ ବର୍ଷା ଜାରି ରହିଛି। ଗଜପତି ଜିଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି। ଗତ ୨୪ ଘଣ୍ଟାରେ ମୋହନା ବ୍ଲକରେ ୧୮୨ ମିମି, ଗଞ୍ଜାମ ବ୍ଲକରେ ୧୬୧ ମିମି ଏବଂ ପାରଳାଖେମୁଣ୍ଡିରେ ୧୪୦ ମିମି ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ହାରାହାରି ୨୩ ମିମି ବର୍ଷା ରେକର୍ଡ ହୋଇଛି। ବାତ୍ୟାର ମୁକାବିଲା ପାଇଁ NDRF, ODRF ଓ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି। ଏପର୍ଯ୍ୟନ୍ତ ୮ଟି ଜିଲ୍ଲାରୁ ୨୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ବର୍ଷାର ସ୍ଥିତିକୁ ଦେଖି ଆବଶ୍ୟକ ସ୍ଥଳେ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ସେହିପରି ୨୨୦୦ ଗର୍ଭବତୀ ମହିଳାଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ୩୨୪ଟି ଆଶ୍ରୟସ୍ଥଳୀରେ ଲୋକମାନେ ରହୁଛନ୍ତି। ସେମାନଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ବାତ୍ୟା ପରେ ଫସଲ କ୍ଷୟକ୍ଷତିର ଆକଳନ କରାଯିବ। ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ଥିବାରୁ ପ୍ରଶାସନ ସତର୍କ ରହିଛି।
