Kotpad Beef Racket: କୋଟପାଡ଼ରେ ଗୋମାଂସ କାରବାର ଉପରେ ରେଡ୍
କୋରାପୁଟ ଜିଲ୍ଲା କୋଟପାଡ଼ ସହରରେ ଦୀର୍ଘଦିନ ଧରି ଚାଲିଥିବା ଅଭିଯୋଗ ଥିବା ଗୋମାଂସ କାରବାର ଉପରେ ପୋଲିସର ଅତର୍କିତ ଚଢ଼ାଉ। ପ୍ରାୟ ୯ କୁଇଣ୍ଟାଲ ମାଂସ ନଷ୍ଟ କରାଯିବା ସହ ୨୨ଟି ଜୀବିତ ଗୋରୁ ଉଦ୍ଧାର ହୋଇଛନ୍ତି।
କୋରାପୁଟ: ସହର ମଧ୍ୟରେ ଚାଲିଥିଲା ବଡ଼ ଧରଣର ଗୋମାଂସ କାରବାର। କୋଟପାଡ଼ ସହରର ସିନେମା ହଲ୍ ନିକଟରେ ଥିବା ଏକ କଂସେଇଖାନା ଉପରେ ପୋଲିସ ଚଢ଼ାଉ କରିଛି। ଏହି ଚଢ଼ାଉରେ ପ୍ରାୟ ୯ କୁଇଣ୍ଟାଲ କଟା ଗୋମାଂସ ନଷ୍ଟ କରାଯାଇଥିବା ବେଳେ ୨୨ଟି ଜୀବିତ ଗୋରୁ ଉଦ୍ଧାର ହୋଇଛନ୍ତି। ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ। ସୂଚନା ଅନୁଯାୟୀ, କୋଟପାଡ଼ ସହରର ସିନେମା ହଲ୍ ନିକଟରେ ଦୀର୍ଘଦିନ ଧରି ଏକ କଂସେଇଖାନାରେ ଗୋମାଂସ କାଟି ବିକ୍ରି କରାଯାଉଥିବା ଅଭିଯୋଗ ରହିଥିଲା। କୌଣସି ସୂତ୍ରରୁ ଖବର ପାଇ କୋଟପାଡ଼ ଥାନା ଅଧିକାରୀ ରୁନୁ ମାଝୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ଅତର୍କିତ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ପ୍ରାୟ ୯ କୁଇଣ୍ଟାଲ କଟା ଗୋମାଂସ ଜବତ କରାଯାଇଥିଲା। ପରେ ପେଟ୍ରୋଲ ଓ ଡିଜେଲ ପକାଇ ଏହାକୁ ନଷ୍ଟ କରାଯାଇଥିବା ସୂଚନା ମିଳିଛି। ଏଥିସହ ସେଠାରୁ ୨୨ଟି ଜୀବିତ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଗୋମାଂସ କିଣୁଥିବା ୬ ଜଣ ବେପାରୀ ଏବଂ ଗୋରୁ କାଟିବା କାମରେ ସମ୍ପୃକ୍ତ ଥିବା ଅଭିଯୋଗରେ ୪ ଜଣଙ୍କୁ ପୋଲିସ ଗିରଫ କରିଛି।ତେବେ ଏହି କାରବାର ପାଇଁ ଗୋରୁ କେଉଁଠାରୁ ଆସୁଥିଲେ ଏବଂ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ରୁନୁ ମାଝୀ କହିଛନ୍ତି। ପୋଲିସ ଏବେ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି।
