Kotia Issue: କୋଟିଆ ପ୍ରସଙ୍ଗରେ ବିଜେପି ସରକାରକୁ ବିଜେଡିର କଟାକ୍ଷ, ତୁରନ୍ତ ପଦକ୍ଷେପ ଦାବି
କୋଟିଆ ପ୍ରସଙ୍ଗରେ ବିଜେପି ସରକାରକୁ ଘେରିଲା ବିଜେଡି। ଆନ୍ଧ୍ରର ନିର୍ବାଚନ ଘୋଷଣା, ଆଦିବାସୀଙ୍କ ପେନସନ ଓ କୋଟିଆ ସୁରକ୍ଷାକୁ ନେଇ ଉଠାଇଲା ପ୍ରଶ୍ନ।
ଭୁବନେଶ୍ୱର: କୋଟିଆ ପ୍ରସଙ୍ଗକୁ ନେଇ ବିଜେପି ସରକାରକୁ ଟାର୍ଗେଟ କରିଛି ବିଜେଡି। କୋଟିଆ ପଞ୍ଚାୟତର ସୁରକ୍ଷା ପାଇଁ ଦଳର ସମସ୍ତ ନେତା ଏକାଠି ହୋଇ ଆନ୍ଧ୍ରପ୍ରଦେଶ ବିରୋଧରେ ଲଢ଼ିବେ ବୋଲି କହିଛି ଦଳ। ବିରୋଧୀ ଦଳରେ ଥିବା ବେଳେ ବିଜେପି ନେତାମାନେ କୋଟିଆ ପ୍ରସଙ୍ଗରେ ବଡ଼ ବଡ଼ କଥା କହୁଥିଲେ, କିନ୍ତୁ ଏବେ କ’ଣ ହେଲା ବୋଲି ପ୍ରଶ୍ନ କରିଛି ବିଜେଡି। ବର୍ତ୍ତମାନର ସରକାର କେବଳ କଥା କହୁଛନ୍ତି, କିନ୍ତୁ ଫଳ ଶୂନ ବୋଲି ଅଭିଯୋଗ କରିଛି ବିଜେଡି। ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତର ମୁଖ୍ୟମନ୍ତ୍ରୀ ଦେଇଥିବା ବେଳେ ଅକ୍ଟୋବର ୧୦ରେ କୋଟିଆରେ ନିର୍ବାଚନ କରିବାକୁ ଆନ୍ଧ୍ର ସରକାର ଘୋଷଣା କରିଥିବା ନେଇ ଉଦ୍ବେଗ ପ୍ରକାଶ କରିଛି ବିଜେଡି। ଓଡ଼ିଶା ଓ କେନ୍ଦ୍ରରେ ବିଜେପି ସରକାର ଏବଂ ଆନ୍ଧ୍ରରେ ବିଜେପିର ମେଣ୍ଟ ସରକାର ଥିବା ସତ୍ତ୍ୱେ କୋଟିଆ ପ୍ରସଙ୍ଗରେ ଆଲୋଚନା କାହିଁକି ହୋଇନାହିଁ ବୋଲି ପ୍ରଶ୍ନ କରିଛି ଦଳ। କୋଟିଆରେ ୯୫ ପ୍ରତିଶତ ଆଦିବାସୀ ରହୁଥିବା ବେଳେ ଚାରି ମାସ ହେଲା ପେନସନ ମିଳିନଥିବା ଅଭିଯୋଗ ଆଣିଛି ବିଜେଡି। ତିନୋଟି ପଞ୍ଚାୟତର ଭୋଟକୁ ରୋକିବା ପାଇଁ ସରକାର ତୁରନ୍ତ ଠୋସ୍ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛି ଦଳ।
