Chhatara Yatra: ମାଁ ସୁନାଦେଇଙ୍କ ଛତର ଯାତ୍ରା: ଉତ୍ସବମୁଖର ସୁନାବେଡ଼ା
ମାଁ ସୁନାଦେଇଙ୍କ ଛତର ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ, ପରମ୍ପରା ଓ ଆସ୍ଥାରେ ଉତ୍ସବମୁଖର ସୁନାବେଡ଼ା ।
ନୂଆପଡ଼ା: ଆସ୍ଥା, ବିଶ୍ୱାସ ଓ ପରମ୍ପରାର ପ୍ରତୀକ ମାଁ ସୁନାଦେଇଙ୍କ ପ୍ରସିଦ୍ଧ ଛତର ଯାତ୍ରା କୁମାର ପୂର୍ଣ୍ଣିମା ଅବସରରେ ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଭୟାରଣ୍ୟରେ ମହାଆଡ଼ମ୍ବରରେ ପାଳିତ ହୋଇଛି। ଚକୁଟିଆ ଭୁଞ୍ଜିଆ ଜନଜାତିଙ୍କ ଆରାଧ୍ୟା ଦେବୀ ମାଁ ସୁନାଦେଇଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ପୂରା ଅଞ୍ଚଳ ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇପଡ଼ିଥିଲା। ପାରମ୍ପରିକ ରୀତିନୀତି ଅନୁସାରେ ଦଶହରା ମାସର ଅମାବାସ୍ୟାଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ମାଁ ସୁନାଦେଇଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ। ଏହାପରେ କୁମାର ପୂର୍ଣ୍ଣିମା ଦିନ ଦେବୀଙ୍କ ଛତର ମନ୍ଦିରରୁ ବାହାରି ଲିଙ୍ଗଭଟ୍ଟା ପୀଠକୁ ଯାଇଥିଲା। ସେଠାରେ ପୂଜାର୍ଚ୍ଚନା ପରେ ଛତର ନଗର ପରିକ୍ରମା କରିଥିଲା। ଏହି ଦୃଶ୍ୟକୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା। ଲୋକବିଶ୍ୱାସ ଅନୁଯାୟୀ, ମାଁ ସୁନାଦେଇଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କଲେ ମନୋସ୍କାମନା ପୂରଣ ହୋଇଥାଏ। ଏହି ବିଶ୍ୱାସକୁ ନେଇ ବହୁ ଶ୍ରଦ୍ଧାଳୁ ମାନସିକ କରି ମାଁଙ୍କ ପୀଠରେ ପହଞ୍ଚିଥିଲେ। ଏଥିସହ ପରମ୍ପରା ଅନୁଯାୟୀ ମାନସିକଧାରୀଙ୍କ ପକ୍ଷରୁ ପଶୁପକ୍ଷୀ ବଳି ଦିଆଯାଇଥିଲା।
ଯାତ୍ରା ଅବସରରେ ଗୋଟିଏ ଦିନ ପାଇଁ ବସିଥିଲା ମେଳା। ଏଥିରେ ଘରକରଣା ସାମଗ୍ରୀ, ଅଳଙ୍କାର ଓ ବିଭିନ୍ନ ସୌଖିନ ସାମଗ୍ରୀର ଦୋକାନ ଖୋଲିଥିବା ବେଳେ ଲୋକେ କିଣାକିଣିର ମଜା ନେଇଥିଲେ। ଏହାସହ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଯାତ୍ରାର ଆକର୍ଷଣ ବଢ଼ାଇଥିଲା। ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଚକୁଟିଆ ଭୁଞ୍ଜିଆ ଜନଜାତିଙ୍କ ପରମ୍ପରା, ସଂସ୍କୃତି ଓ ଧାର୍ମିକ ବିଶ୍ୱାସ ସହ ଗଭୀର ଭାବେ ଜଡ଼ିତ ମାଁ ସୁନାଦେଇଙ୍କ ଏହି ଛତର ଯାତ୍ରାରେ କେବଳ ଜନଜାତି ସମ୍ପ୍ରଦାୟ ନୁହେଁ, ବିଭିନ୍ନ ବର୍ଗର ଲୋକେ ମଧ୍ୟ ଶ୍ରଦ୍ଧାର ସହ ସାମିଲ ହୋଇଥିଲେ।
