Cyclone Preparedness:ବାତ୍ୟା ମୁକାବିଲା ପାଇଁ ଆକ୍ସନ ମୋଡ୍ରେ ଓଡ଼ିଶା ସରକାର
ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ଓ ପ୍ରବଳ ବର୍ଷା ଆଶଙ୍କାକୁ ନେଇ ସଜାଗ ରାଜ୍ୟ ସରକାର। ଉଦ୍ଧାରକାରୀ ଦଳ ମୁତୟନଠାରୁ ସ୍ୱାସ୍ଥ୍ୟସେବା ଓ ଆଶ୍ରୟସ୍ଥଳୀ ପ୍ରସ୍ତୁତି ପର୍ଯ୍ୟନ୍ତ, ଧନଜୀବନ ସୁରକ୍ଷା ପାଇଁ ଚାଲିଛି ବ୍ୟାପକ ବ୍ୟବସ୍ଥା।

ଭୁବନେଶ୍ୱର, ଅକ୍ଟୋବର ୨୭: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ରାଜ୍ୟ ପ୍ରଶାସନ। ବାତ୍ୟା ଓ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜୀବ ଭବନସ୍ଥିତ ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏସଆରସି ଓ ବରିଷ୍ଠ ଅଧିକାରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି। ବାତ୍ୟା ମୁକାବିଲା ପାଇଁ ୮ଟି ଜିଲ୍ଲାକୁ ୧୯ କୋଟି ଟଙ୍କାର ସହାୟତା ପାଣ୍ଠି ଦିଆଯାଇଛି। ମନ୍ତ୍ରୀ କହିଛନ୍ତି, ବାତ୍ୟାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ଜନସାଧାରଣ ଭୟଭୀତ ନହୋଇ ସରକାରୀ ସୂଚନା ଉପରେ ଭରସା କରିବା ସହ ପ୍ରଶାସନକୁ ସହଯୋଗ କରନ୍ତୁ। ଜୀବନହାନି ରୋକିବା ପାଇଁ ସରକାର ‘ଜିରୋ କାଜୁଆଲ୍ଟି’ ଲକ୍ଷ୍ୟ ରଖିଛନ୍ତି।ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଓ ଅଗ୍ନିଶମ ଟିମ୍ ମୁତୟନ ହୋଇଛନ୍ତି। ଗଞ୍ଜାମରେ ୯ଟି ଓଡ୍ରାଫ୍, ୨ଟି ଏନ୍ଡିଆର୍ଏଫ୍ ଓ ୨୪ଟି ଅଗ୍ନିଶମ ଟିମ୍; ଗଜପତିରେ ୬ଟି ଓଡ୍ରାଫ୍, ୧ଟି ଏନ୍ଡିଆର୍ଏଫ୍ ଓ ୮ଟି ଅଗ୍ନିଶମ ଟିମ୍ ମୁତୟନ ହୋଇଛନ୍ତି। ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ମଧ୍ୟ ଉଦ୍ଧାରକାରୀ ଦଳ ପ୍ରସ୍ତୁତ ରହିଛନ୍ତି।ପ୍ରଶାସନ ପକ୍ଷରୁ ୮ଟି ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳରୁ ୪୮,୦୧୦ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ରହଣି ପାଇଁ ୪୬୬ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ନବରଙ୍ଗପୁରରେ ୧୧,୨୭୦, ଗଜପତିରେ ୧୧,୦୦୦, ମାଲକାନଗିରିରେ ୯,୮୫୦, ଗଞ୍ଜାମରେ ୬,୫୦୦ ଓ କୋରାପୁଟରେ ୫,୦୦୦ ଲୋକଙ୍କୁ ଚିହ୍ନଟ କରାଯାଇଛି। ବାତ୍ୟା ମୁକାବିଲା ପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ସମସ୍ତ ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ରହିବା ସହ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ମୁତୟନ କରାଯାଇଛି। ଆଶ୍ରୟସ୍ଥଳୀରେ ଆବଶ୍ୟକ ସାମଗ୍ରୀ ମହଜୁଦ, ଜରୁରୀ ସତର୍କ ସୂଚନା ଓ ପାଣିପାଗ ବିଭାଗର ବୁଲେଟିନ୍ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ରହିଛି। ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ପାଇଁ ମେଡିକାଲ ରିଲିଫ୍ କେନ୍ଦ୍ର, ମୋବାଇଲ ସ୍ୱାସ୍ଥ୍ୟ ଟିମ୍, ଜରୁରୀ ଔଷଧ, ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ଓ ପ୍ରସବ ସେବା ପ୍ରସ୍ତୁତ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି। ପ୍ରଭାବିତ ଅଞ୍ଚଳରେ ପଶୁଖାଦ୍ୟ ବଣ୍ଟନ ବ୍ୟବସ୍ଥା ମଧ୍ୟ କରାଯିବ। ସ୍ଥାନୀୟ ନୋଡାଲ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇ ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ସମନ୍ୱୟ ରଖାଯାଉଛି। ଗୁଜବରେ ବିଶ୍ୱାସ ନକରି ସରକାରୀ ନିର୍ଦ୍ଦେଶ ମାନିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।
