Corruption Free Odisha : ଦୁର୍ନୀତି କଲେ ଚାକିରି ଗଲା, ପେନସନ ବି ବନ୍ଦ
ଦୁର୍ନୀତି ବିରୋଧରେ ଓଡ଼ିଶା ସରକାରଙ୍କ ବଡ଼ ଆକ୍ସନ ! ୪୧ ଜଣ କର୍ମଚାରୀ ବହିଷ୍କୃତ, ୯୧ ଜଣଙ୍କ ପେନସନ ବନ୍ଦ। ଦୁର୍ନୀତିଗ୍ରସ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ।

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି ଓଡ଼ିଶା ସରକାର। ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ୪୧ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ୯୧ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି। ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ଅବସରରେ ଏହି ସୂଚନା ଦେଇ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଲୋକସେବା ଭବନ କନଭେନସନ ସେଣ୍ଟରରେ ଆଜି ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଧିକାରୀ ଓ ଅତିଥିମାନଙ୍କୁ ସଚ୍ଚୋଟତା ଏବଂ ସାଧୁତାର ଶପଥ ପାଠ କରାଇଥିଲେ। ସେ କହିଥିଲେ ଯେ, ପୂର୍ବଭଳି ଶାସନ ଆଉ ଆଇଭରି ଟାୱାର ମଧ୍ୟରେ ସୀମିତ ନାହିଁ। ସରକାର ଲୋକଙ୍କ ପାଖକୁ ଯାଉଛନ୍ତି ଏବଂ ସେମାନଙ୍କ ସମସ୍ୟା ଶୁଣି ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି।
ଦୁର୍ନୀତି ରୋକିବାରେ ଜନଶୁଣାଣିକୁ ଗୁରୁତ୍ୱ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜନଶୁଣାଣି କାର୍ଯ୍ୟକ୍ରମ ତୃଣମୂଳସ୍ତରରେ ଦୁର୍ନୀତି ରୋକିବାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଏହା ଦ୍ୱାରା ସାଧାରଣ ଲୋକେ ସିଧାସଳଖ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ନିଜ ସମସ୍ୟା ଏବଂ ଦୁର୍ନୀତି ସମ୍ପର୍କିତ ଅଭିଯୋଗ ଜଣାଇପାରୁଛନ୍ତି। ଅଭିଯୋଗ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ମଧ୍ୟ ନିଆଯାଉଛି।
୬୫ ପ୍ରତିଶତରେ ପହଞ୍ଚିଲା ଦଣ୍ଡବିଧାନ ହାର
ଓଡ଼ିଶା ଭିଜିଲାନ୍ସର ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୫ରେ ଦୋଷୀ ସାବ୍ୟସ୍ତ ହାର ୫୦ ପ୍ରତିଶତ ଥିବା ବେଳେ ୨୦୨୬ ସେପ୍ଟେମ୍ବର ସୁଦ୍ଧା ଏହା ୬୫ ପ୍ରତିଶତରେ ପହଞ୍ଚିଛି।ଗତ ଅଢ଼େଇ ବର୍ଷ ମଧ୍ୟରେ ଜଣେ ଆଇଏଏସ୍ ଅଧିକାରୀ, ୮ ଜଣ ମୁଖ୍ୟଯନ୍ତ୍ରୀ ପାହ୍ୟାର ଅଧିକାରୀ, ୩ ଜଣ ଖଣି ଉପନିର୍ଦ୍ଦେଶକ, ୫ ଜଣ ତହସିଲଦାର, ୪ ଜଣ ବିଡିଓଙ୍କ ସମେତ ଅନେକ ସରକାରୀ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସେ ସୂଚନା ଦେଇଛନ୍ତି।
ଦୁର୍ନୀତି ରୋକିବାକୁ ଟେକ୍ନୋଲୋଜିର ବ୍ୟବହାର
ଦୁର୍ନୀତି ନିୟନ୍ତ୍ରଣ ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ସର୍ବୋତ୍ତମ ପଦ୍ଧତିର ବ୍ୟବହାର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଓଡ଼ିଶା ଭିଜିଲାନ୍ସରେ ଏକ Preventive Vigilance Research Wing ଗଠନ କରାଯାଉଛି। ଏହା ମାଧ୍ୟମରେ ଦୁର୍ନୀତିପ୍ରବଣ କ୍ଷେତ୍ର ଚିହ୍ନଟ କରି ଶାସନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ଜବାବଦେହୀ କରିବା ଲକ୍ଷ୍ୟ ରହିଛି। ଏଥିସହ କେନ୍ଦ୍ର ସରକାରଙ୍କ JAM ବ୍ୟବସ୍ଥାକୁ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଦ୍ୱାରା ସରକାରୀ ଯୋଜନାର ଲାଭ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ସହ ଅର୍ଥର ଅପବ୍ୟବହାର ରୋକାଯାଇପାରିବ।
ଶ୍ରେଷ୍ଠ ଭିଜିଲାନ୍ସ ଅଧିକାରୀଙ୍କୁ ପୁରସ୍କାର
କାର୍ଯ୍ୟକ୍ରମରେ ୨୦୨୫ ବର୍ଷ ପାଇଁ କୋରାପୁଟ ଭିଜିଲାନ୍ସ ଡିଭିଜନକୁ ଶ୍ରେଷ୍ଠ ଡିଭିଜନ ଏବଂ ଅନୁଗୋଳ ୟୁନିଟ୍କୁ ଶ୍ରେଷ୍ଠ ୟୁନିଟ୍ ଭାବେ ପୁରସ୍କୃତ କରାଯାଇଥିଲା। ସେହିପରି ଶ୍ରେଷ୍ଠ ତଦନ୍ତ ଅଧିକାରୀ ଭାବେ ମାଲକାନଗିରି ଭିଜିଲାନ୍ସ ଡିଏସ୍ପି ସଦାନନ୍ଦ ପାଣି, ଶ୍ରେଷ୍ଠ ମହିଳା ତଦନ୍ତ ଅଧିକାରୀ ଭାବେ ଭୁବନେଶ୍ୱର ଡିଭିଜନର ବୈଭବମାଳା ସ୍ୱାଇଁ ଏବଂ ଶ୍ରେଷ୍ଠ ପବ୍ଲିକ ପ୍ରୋସିକ୍ୟୁଟର ଭାବେ ସଲିଳ କୁମାର ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ କୁମାର ଜେଠୱାଙ୍କ ସମେତ ବହୁ ବରିଷ୍ଠ ଓ ଅବସରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ।ଚଳିତ ବର୍ଷର ବାର୍ତ୍ତା ‘ସାଧୁତାରୁ ସମୃଦ୍ଧି’। ସରକାରୀ କର୍ମଚାରୀମାନେ ନିଜ କାର୍ଯ୍ୟରେ ସଚ୍ଚୋଟତା, ସ୍ୱଚ୍ଛତା ଓ ନିଷ୍ଠା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

