Cyclone: ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ, ଜିରୋ କାଜୁଆଲ୍ଟି ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି। ଜିରୋ କାଜୁଆଲ୍ଟି ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମୀକ୍ଷା ବୈଠକ। ୫ ଜିଲ୍ଲାରେ ୨୮ ଓ ୨୯ ଅକ୍ଟୋବରରେ ସ୍କୁଲ୍, କଲେଜ ଓ ଅଙ୍ଗନବାଡ଼ି ବନ୍ଦ।

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର। ଏଥର ମଧ୍ୟ ଜିରୋ କାଜୁଆଲ୍ଟି ହାସଲ କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶନିବାର ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ସମୀକ୍ଷା ପରେ ସେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା ଦାନା ଓ ମୋନ୍ଥା ସମେତ ବିଭିନ୍ନ ବନ୍ୟା ପରିସ୍ଥିତିର ସଫଳ ମୁକାବିଲାରେ ରାଜ୍ୟର ଅଭିଜ୍ଞତା ରହିଛି। ତେଣୁ ଏଥର ମଧ୍ୟ ସମସ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ଅକ୍ଟୋବର ୨୮ ତାରିଖରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ଅଧିକ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିପାରେ। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ପାଞ୍ଚଟି ଜିଲ୍ଲାରେ ଅକ୍ଟୋବର ୨୮ ଓ ୨୯ ତାରିଖରେ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଅନ୍ୟ ଜିଲ୍ଲାଗୁଡ଼ିକରେ ଛୁଟି ନିଷ୍ପତ୍ତି ଜିଲ୍ଲାପାଳମାନେ ପରିସ୍ଥିତି ଦେଖି ନେବେ। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ବିଶେଷକରି ରୋଗୀ ଓ ଗର୍ଭବତୀ ମହିଳାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ୬୦ଟି ଓଡ୍ରାଫ୍ ଟିମ୍, ୧୭ଟି ଏନ୍ଡିଆର୍ଏଫ୍ ଟିମ୍ ଓ ୨୨୫ଟି ଅଗ୍ନିଶମ ଦଳକୁ ସଜାଗ ରଖାଯାଇଛି। ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଔଷଧ ଓ ସାପ କାମୁଡ଼ା ଚିକିତ୍ସା ସାମଗ୍ରୀ ମହଜୁଦ ରଖିବା ସହ ରାସ୍ତା ଅବରୋଧ କରୁଥିବା ଗଛ ହଟାଇବା ଓ ଜରୁରୀ ସେବାର ପୁନରୁଦ୍ଧାର ପାଇଁ ମଧ୍ୟ ପ୍ରସ୍ତୁତି କରାଯାଇଛି। ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଥିବା ବେଳେ ଚାଷୀମାନଙ୍କୁ ଅମଳ ଫସଲ ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଛି।
