Zero Casualty Preparation: ବାତ୍ୟା ପାଇଁ ରାୟଗଡ଼ା ଓ କୋରାପୁଟରେ ଉଦ୍ଧାର ଓ ରିଲିଫ୍ ପ୍ରସ୍ତୁତି ଜୋରଦାର
ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବକୁ ନେଇ ରାୟଗଡ଼ା ଜିଲ୍ଲାରେ ପ୍ରଶାସନିକ ପ୍ରସ୍ତୁତି ଜୋରଦାର। ସମ୍ବେଦନଶୀଳ ଗ୍ରାମ ଚିହ୍ନଟ, ଆଶ୍ରୟସ୍ଥଳ ପ୍ରସ୍ତୁତି ଓ ଉଦ୍ଧାରକାରୀ ଟିମ୍ ମୁତୟନ।
ରାୟଗଡ଼ା/କୋରାପୁଟ: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡ଼ିଶାର ରାୟଗଡ଼ା ଓ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବାତ୍ୟାରେ ଶୂନ୍ୟ ଜୀବନହାନି ବା ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ନେଇ ଉଦ୍ଧାର, ରିଲିଫ୍ ଓ ଜନସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ସୂଚନା ଅନୁଯାୟୀ, ବାତ୍ୟା ମୁକାବିଲା ପାଇଁ ଏନ୍ଡିଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗର ଟିମ୍ ନିୟୋଜିତ ହୋଇଛନ୍ତି। ଜିଲ୍ଲାରେ ୩ଟି ବହୁମୁଖୀ ସ୍ଥାୟୀ ଆଶ୍ରୟସ୍ଥଳ ଓ ୧୩୧ଟି ଅସ୍ଥାୟୀ ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଛି। ଏଥିସହ ୧୪୮ଟି ସମ୍ବେଦନଶୀଳ ଗ୍ରାମ ଓ ଭୂସ୍ଖଳନ ଆଶଙ୍କା ଥିବା ୧୧ଟି ସ୍ଥାନ ଚିହ୍ନଟ କରାଯାଇଛି। ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖାଯାଇଛି। ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି। ରାୟଗଡ଼ାରେ ପ୍ରାୟ ୬୦ ଜଣ ଗର୍ଭବତୀଙ୍କୁ ମା’ ଗୃହ ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବାବେଳେ ୧୩ ଜଣଙ୍କର ପ୍ରସବ ହୋଇଥିବା ସୂଚନା ମିଳିଛି।
ଅନ୍ୟପଟେ, କୋରାପୁଟ ଜିଲ୍ଲାରେ ମଧ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଛି। ଜିଲ୍ଲା ଓ ବ୍ଲକ୍ ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ ହୋଇଛି। ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍, ଏନ୍ଡିଆରଏଫ୍ ଓ ଅଗ୍ନିଶମ ବାହିନୀ ସହ ୫୪ଟି ବୋଟ୍ ପ୍ରସ୍ତୁତ ରଖାଯାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ପ୍ରସବ ତାରିଖ ଥିବା ପ୍ରାୟ ୬୦୦ ଗର୍ଭବତୀଙ୍କୁ ମା’ ଗୃହ, ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଉଛି। କୋରାପୁଟରେ ଆଶ୍ରୟସ୍ଥଳୀଗୁଡ଼ିକରେ ଶୁଖିଲା ଖାଦ୍ୟ, ପଲିଥିନ୍, ଡିଜେଲ୍ ଓ ଜେନେରେଟର୍ ବ୍ୟବସ୍ଥା ହୋଇଛି। କୋଲାବ୍ ଡ୍ୟାମ୍ର ଜଳସ୍ତର ଉପରେ ନଜର ରଖାଯାଇଥିବାବେଳେ ଅନ୍ୟ ଡ୍ୟାମ୍ରୁ ଆଗୁଆ ଜଳ ନିଷ୍କାସନ କରାଯାଉଛି। ଭୂସ୍ଖଳନ ଓ ଜଳବନ୍ଦୀ ଅଞ୍ଚଳରେ ପୋଲିସ୍ ପାଟ୍ରୋଲିଂ ଜୋରଦାର କରାଯାଇଛି। ପ୍ରଶାସନ ପକ୍ଷରୁ ଗୁଜବ ଓ ମିଥ୍ୟା ଖବରଠାରୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଜରୁରୀ ସହାୟତା ପାଇଁ କୋରାପୁଟ ଜିଲ୍ଲାରେ ୦୬୮୫୨-୨୫୧୧୦୧ କିମ୍ବା ୧୦୭୭ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି। ଉଭୟ ଜିଲ୍ଲାରେ ପରିସ୍ଥିତି ଉପରେ ନଜର ରଖିବା ସହ ଜନଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି।
