Kalinga Studio Comeback : ଓଡ଼ିଆ ସିନେମାର ନୂଆ ଯୁଗ ଆରମ୍ଭ!
ନବକଳେବର ପାଇଥିବା କଳିଙ୍ଗ ଷ୍ଟୁଡିଓର ଭବ୍ୟ ଲୋକାର୍ପଣ ହୋଇଛି | ଅତ୍ୟାଧୁନିକ ଶୁଟିଂ, ସାଉଣ୍ଡ, ଡବିଂ, ଏଡିଟିଂ ଓ ପୋଷ୍ଟ-ପ୍ରଡକ୍ସନ୍ ସୁବିଧା ସହ ଏହା ଓଡ଼ିଆ ସିନେମାକୁ ନୂଆ ଦିଗ ଦେବ | ଏଥିସହ ଓଡ଼ିଆ ଚଳଚ୍ଚିତ୍ରର ଐତିହ୍ୟ ସଂରକ୍ଷଣ ପାଇଁ ‘ଆର୍କାଇଭ୍ ଓ ମ୍ୟୁଜିୟମ୍’ର ମଧ୍ୟ ଶୁଭାରମ୍ଭ ହୋଇଛି |

ଫେରିଲା କଳିଙ୍ଗ ଷ୍ଟୁଡିଓ, ବଦଳିବ ଓଡ଼ିଆ ଫିଲ୍ମର ଚିତ୍ର | ଓଡ଼ିଆ ସିନେମାର ଗୌରବମୟ ଅତୀତକୁ ସଂରକ୍ଷଣ ସହ ଭବିଷ୍ୟତର ଆବଶ୍ୟକତା ଦୃଷ୍ଟିରେ ରଖି ଗତକାଲି ରାଜଧାନୀ ଭୁବନେଶ୍ୱରରେ ନବକଳେବର ପ୍ରାପ୍ତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ର ଭବ୍ୟ ଲୋକାର୍ପଣ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁନର୍ବିକଶିତ ଷ୍ଟୁଡିଓକୁ ଲୋକାର୍ପିତ କରିଛନ୍ତି। ଏହି ଅବସରରେ କଳିଙ୍ଗ ଷ୍ଟୁଡିଓ ପରିସରରେ ନିର୍ମିତ ସ୍ୱତନ୍ତ୍ର '‘ଆର୍କାଇଭ୍ ଓ ମ୍ୟୁଜିୟମ'ର ମଧ୍ୟ ଶୁଭାରମ୍ଭ ହୋଇଛି। ଓଡ଼ିଆ ସିନେମାର ଐତିହ୍ୟକୁ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିବା ଲକ୍ଷ୍ୟରେ ଏଠାରେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର, ପୋଷ୍ଟର, ଫଟୋଗ୍ରାଫ୍ ଏବଂ ବିଭିନ୍ନ ଐତିହାସିକ ଦଲିଲ ସଂରକ୍ଷଣ କରାଯିବ। ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆ କଳିଙ୍ଗ ଷ୍ଟୁଡିଓରେ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ ହୋଇଛି। ଏହାଦ୍ୱାରା ଓଡ଼ିଆ ଚଳଚ୍ଚିତ୍ର ନିର୍ମାତାଙ୍କୁ ବୈଷୟିକ କାର୍ଯ୍ୟ ପାଇଁ ଆଉ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଆଗାମୀ ଦିନରେ ଷ୍ଟୁଡିଓରେ ଆହୁରି ଅତ୍ୟାଧୁନିକ ସୁବିଧା ଯୋଡ଼ାଯିବ ବୋଲି ସେ କହିଛନ୍ତି। ଡିଜିଟାଲ୍ ଯୁଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି କଳିଙ୍ଗ ଷ୍ଟୁଡିଓକୁ ଏକ "ସ୍ୱୟଂସମ୍ପୂର୍ଣ୍ଣ ଫିଲ୍ମ ଇକୋସିଷ୍ଟମ୍" ଭାବେ ବିକଶିତ କରାଯାଇଛି। ଏଠାରେ ଇନ୍ଡୋର୍ ଶୁଟିଂ ଫ୍ଲୋର୍, ସ୍ନୋ-ହାଉସ୍, କ୍ରୋମା ଫ୍ଲୋର୍, ଟେକ୍-ଜୋନ୍, ସାଉଣ୍ଡ ରେକର୍ଡିଂ, ଡବିଂ, ଏଡିଟିଂ ଏବଂ ପୋଷ୍ଟ-ପ୍ରଡକ୍ସନ୍ ଭଳି ବିଭିନ୍ନ ଅତ୍ୟାଧୁନିକ ସୁବିଧା ରହିଛି। ଓଡ଼ିଆ ସିନେମାର ସୁବର୍ଣ୍ଣ ଅତୀତକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପଚାଶ ଓ ଷାଠିଏ ଦଶକରେ ‘ମା’, ‘ଅମଡ଼ାବାଟ’, ‘ମାଟିର ମଣିଷ’ ଭଳି କାଳଜୟୀ ଚଳଚ୍ଚିତ୍ର ଓଡ଼ିଆ ସାହିତ୍ୟ ଓ ସିନେମା ମଧ୍ୟରେ ଏକ ଗଭୀର ସମ୍ପର୍କ ସୃଷ୍ଟି କରିଥିଲା। ଓଡ଼ିଶାରେ ଚଳଚ୍ଚିତ୍ର ନିର୍ମାଣକୁ ସୁବିଧା ଯୋଗାଇବା ପାଇଁ ୧୯୮୦ ମସିହାରେ କଳିଙ୍ଗ ଷ୍ଟୁଡିଓ ପ୍ରତିଷ୍ଠା ହୋଇଥିଲା। ତେବେ ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଯୁକ୍ତିବିଦ୍ୟାରେ ଦ୍ରୁତ ପରିବର୍ତ୍ତନ ଯୋଗୁଁ ଏହାର ନବୀକରଣ ଆବଶ୍ୟକ ହୋଇଥିଲା। ରାଜ୍ୟର ଯୁବ ପ୍ରତିଭାଙ୍କ ଉପରେ ଆସ୍ଥା ପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଭିନୟ, ନିର୍ଦ୍ଦେଶନା, ସିନେମାଟୋଗ୍ରାଫି, ଆନିମେସନ୍, ସାଉଣ୍ଡ ଡିଜାଇନ୍ ଓ ଡିଜିଟାଲ୍ ପ୍ଲାଟଫର୍ମ ପାଇଁ କାହାଣୀ ଲେଖନ ଭଳି କ୍ଷେତ୍ରରେ ଓଡ଼ିଆ ଯୁବପିଢ଼ି ଆଗକୁ ବଢ଼ୁଛନ୍ତି। କଳିଙ୍ଗ ଷ୍ଟୁଡିଓ ଯୁବପିଢ଼ିଙ୍କ ସ୍ୱପ୍ନକୁ ସାକାର କରିବାର ଏକ ପ୍ରମୁଖ ମାଧ୍ୟମ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏଥିସହ ନିଜର "ମୌଳିକ କାହାଣୀ, ଲୋକକଥା, ଇତିହାସ ଓ ସାଂସ୍କୃତିକ ପୃଷ୍ଠଭୂମି"କୁ ଆଧାର କରି ଅଧିକ ସିନେମା ନିର୍ମାଣ କରିବାକୁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ପୁନର୍ବିକଶିତ କଳିଙ୍ଗ ଷ୍ଟୁଡିଓକୁ ଏକ ଅତ୍ୟାଧୁନିକ ଫିଲ୍ମ ଷ୍ଟୁଡିଓ କମ୍ପ୍ଲେକ୍ସ ଭାବେ ବିକଶିତ କରାଯାଇଛି। ପ୍ରଡକ୍ସନ୍ ଠାରୁ ପୋଷ୍ଟ-ପ୍ରଡକ୍ସନ୍ ପର୍ଯ୍ୟନ୍ତ ଚଳଚ୍ଚିତ୍ର ନିର୍ମାଣର ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଏଠାରେ ସୁବିଧା ରହିଛି। ଚଳଚ୍ଚିତ୍ର ଶିଳ୍ପ କେବଳ ମନୋରଞ୍ଜନର କ୍ଷେତ୍ର ନୁହେଁ, ଏହା ଏକ ବୃହତ୍ ଆର୍ଥିକ ଇକୋସିଷ୍ଟମ୍ ବୋଲି ସେ ମତପ୍ରକାଶ କରିଛନ୍ତି। ଏହି ଅବସରରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (OFDC)ର ନୂତନ ଅଫିସିଆଲ୍ ପୋର୍ଟାଲ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, କୋରେଇ ବିଧାୟକ ଆକାଶ ଦାସ ନାୟକ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ କଳିଙ୍ଗ ଷ୍ଟୁଡିଓର ପରିଚାଳନା ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ପଣ୍ଡାଙ୍କ ସମେତ ବହୁ ଅଧିକାରୀ ଓ ଅତିଥି ଉପସ୍ଥିତ ଥିଲେ।
