ବାଲି ମାଫିଆଙ୍କଠାରୁ ମାସିକିଆ ଚାନ୍ଦା ଅଭିଯୋଗ: ଦଦରାଘାଟି ଫାଣ୍ଡି ଅଧିକାରୀ ଓ OAPF କର୍ମଚାରୀ ନିଲମ୍ବିତ
ବେଆଇନ ବାଲି ପରିବହନକୁ ପ୍ରଶ୍ରୟ ଦେଇ ମାସିକିଆ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ଅଧୀନ ଦଦରାଘାଟି ଫାଣ୍ଡି ଅଧିକାରୀ ଅଜୟ କୁମାର ସାମଲ ଓ OAPF କର୍ମଚାରୀ ଜୟରାମ ଦେହୁରୀଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲା ଏସପି ।
ଢେଙ୍କାନାଳ: ବେଆଇନ ବାଲି ପରିବହନକୁ ପ୍ରଶ୍ରୟ ଦେଇ ମାସିକିଆ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ଅଧୀନ ଦଦରାଘାଟି ଫାଣ୍ଡି ଅଧିକାରୀ ଅଜୟ କୁମାର ସାମଲ ଓ OAPF କର୍ମଚାରୀ ଜୟରାମ ଦେହୁରୀଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲା ଏସପି ଅଭିନବ ସୋନକର। ଅଭିଯୋଗ ଅନୁଯାୟୀ, ପରଜଙ୍ଗର ବସୁଲେଇ ଅଞ୍ଚଳର ଜଣେ ବେଆଇନ ବାଲିଘାଟ ବ୍ୟବସାୟୀଙ୍କ ଦୁଇଟି ହାଇୱା ଗାଡ଼ିରେ ବାଲି ପରିବହନ ପାଇଁ ପ୍ରତିମାସ ୨୧ ହଜାର ଟଙ୍କା ଚାନ୍ଦା ନିଆଯାଉଥିଲା। ଏହି ଟଙ୍କା OAPF କର୍ମଚାରୀଙ୍କ ଫୋନ୍ପେ ଆକାଉଣ୍ଟ ମାଧ୍ୟମରେ ଦିଆଯାଉଥିବା ଅଭିଯୋଗ ହୋଇଛି। ନିକଟରେ ବ୍ୟବସାୟୀଙ୍କ ଏକ ହାଇୱା ଖରାପ ହୋଇଯିବା ପରେ ଅନ୍ୟ ଏକ ଗାଡ଼ିରେ ବାଲି ପରିବହନ କରାଯାଉଥିଲା। ସେହି ଗାଡ଼ି ଦଦରାଘାଟି ଫାଣ୍ଡି ଦେଇ ଯାଉଥିବାବେଳେ ଫାଣ୍ଡି ଅଧିକାରୀ ୫୦ ହଜାର ଟଙ୍କା ଦାବି କରିଥିବା ଅଭିଯୋଗ ରହିଛି। ଟଙ୍କା ନ ଦେବାରୁ ଗାଡ଼ିଟିକୁ ଜବତ କରାଯାଇଥିଲା। ପରେ କୋର୍ଟଙ୍କ ଆଦେଶ ଅନୁଯାୟୀ ଗାଡ଼ିଟି ମୁକୁଳାଯାଇଥିଲେ ମଧ୍ୟ, ଗାଡ଼ିରେ ଥିବା ବାଲି ବାବଦରେ ୫ ହଜାର ଟଙ୍କା ଫାଣ୍ଡି ଅଧିକାରୀଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି।
ଏହି ଘଟଣାର ତଦନ୍ତ ପରେ ଏସପି ଅଭିନବ ସୋନକର ଫାଣ୍ଡି ଅଧିକାରୀ ଓ OAPF କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ସେହିପରି ପରଜଙ୍ଗ ଅଞ୍ଚଳରେ ଚାଲିଥିବା ଅନ୍ୟ ବେଆଇନ ବାଲିଘାଟ ଓ ବାଲି ଡିପୋ ଉପରେ ଚଢ଼ାଉ କରାଯାଇ ବାଲି ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି।
