Brown Sugar Seizure:ପୁରୀରେ ୨୪ ଲକ୍ଷର ବ୍ରାଉନସୁଗାର ଜବତ
ପୁରୀ ଜିଲ୍ଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ ଚଢ଼ାଉ। ଡେଲାଙ୍ଗର କୁଆପଥର ଗ୍ରାମରୁ ୨୬୧ ଗ୍ରାମ ବ୍ରାଉନସୁଗାର, ବନ୍ଧୁକ ଓ ଗାଡ଼ି ଜବତ ସହ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି।
ପୁରୀ:ପୁରୀ ଜିଲ୍ଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ ଆକ୍ସନ୍। ବିଳମ୍ବିତ ରାତିରେ ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଥର ଗ୍ରାମରେ ଚାଲିଥିବା ବ୍ରାଉନସୁଗାର ଡିଲ୍କୁ ପଣ୍ଡ କରିଛି ପୋଲିସ। ଏହି ଚଢ଼ାଉରେ ୪ ଜଣ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ୨୬୧ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଜବତ ନିଶାଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ୨୪ ଲକ୍ଷ ଟଙ୍କା ବୋଲି ପୁରୀ ଏସ୍ପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, କୁଆପଥର ଗ୍ରାମରେ ବ୍ରାଉନସୁଗାର କାରବାର ନେଇ ଡିଲ୍ ଚାଲିଥିବା ଖବର ପାଇଥିଲା ପୁରୀ ପୋଲିସ। ଏସ୍ପିଙ୍କ ନିର୍ଦ୍ଦେଶରେ ଏକ ପୋଲିସ ଟିମ୍ ଅଚାନକ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଘଟଣାସ୍ଥଳରୁ ୪ ଜଣଙ୍କୁ କାବୁ କରାଯାଇଥିଲା। ସେମାନଙ୍କ ନିକଟରୁ ୨୬୧ ଗ୍ରାମ ବ୍ରାଉନସୁଗାର ସହ ଗୋଟିଏ ବନ୍ଧୁକ, ଗୋଟିଏ କାର୍ ଓ ଗୋଟିଏ ବାଇକ୍ ଜବତ କରାଯାଇଛି। ଅଭିଯୁକ୍ତମାନେ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବ୍ରାଉନସୁଗାର ଯୋଗାଣ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି। ଏହି କାରବାର ପଛରେ ଆଉ କାହାର ସମ୍ପୃକ୍ତି ରହିଛି, ନିଶାଦ୍ରବ୍ୟ କେଉଁଠାରୁ ଆସୁଥିଲା ଏବଂ କେଉଁ ଅଞ୍ଚଳକୁ ଯୋଗାଣ ହେବାର ଯୋଜନା ଥିଲା, ସେନେଇ ପୋଲିସ ତଦନ୍ତ ଚଳାଇଛି। ଗିରଫ ୪ ଅଭିଯୁକ୍ତଙ୍କୁ NDPS ଆଇନ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଥିବା ଏସ୍ପି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
