Low Pressure: ବ୍ୟାକ୍ ଟୁ ବ୍ୟାକ୍ ଲଘୁଚାପ! ପୁଣି ବର୍ଷା ଭୟ, ନଭେମ୍ବର ୧୬-୧୭ରେ ଆସିପାରେ ନୂଆ ସିଷ୍ଟମ
ଲଘୁଚାପ ପରେ ଲଘୁଚାପ! ବାତ୍ୟା ଅର୍ଣ୍ଣବ ଓ ମୁରାସୁ ପରେ ପୁଣି ବଙ୍ଗୋପସାଗରରେ ନୂଆ ସିଷ୍ଟମ ସଙ୍କେତ, ଓଡ଼ିଶାରେ ପୁଣି ବର୍ଷା ଆଶଙ୍କା।

ଭୁବନେଶ୍ୱର: ବାତ୍ୟା ପରେ ବାତ୍ୟା, ଲଘୁଚାପ ପରେ ଲଘୁଚାପ। ଓଡ଼ିଶାରେ ବର୍ଷାର ପ୍ରଭାବ କମିବାର ନାଁ ନେଉନି। ଏବେ ପୁଣି ବଙ୍ଗୋପସାଗରରେ ଆଉ ଏକ ନୂଆ ଲଘୁଚାପ ସୃଷ୍ଟି ହେବାର ସଙ୍କେତ ମିଳିଛି। ଏହାକୁ ନେଇ ପୁଣି ବର୍ଷା ଆଶଙ୍କା ବଢ଼ିଛି। ଆନ୍ତର୍ଜାତିକ ପାଣିପାଗ ମଡେଲ୍ ଜିଏଫ୍ଏସ୍ର ପ୍ରାକ୍ ଆକଳନ ଅନୁଯାୟୀ, ନଭେମ୍ବର ୧୬ କିମ୍ବା ୧୭ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇ ଭାରତୀୟ ଉପକୂଳ ଆଡ଼କୁ ଆସିପାରେ। ଏହା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଦେଇ ବାଂଲାଦେଶ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ତେବେ ଏହା କେବଳ ପ୍ରାଥମିକ ଆକଳନ। ଏହାର ଗତିପଥ ଓ ତୀବ୍ରତାରେ ପରିବର୍ତ୍ତନ ହୋଇପାରେ। ଅନ୍ୟପଟେ, ନୂଆ ଲଘୁଚାପ ସୃଷ୍ଟି ନେଇ ଏଯାଏଁ ସମସ୍ତ ପାଣିପାଗ ମଡେଲ୍ ସ୍ପଷ୍ଟ ସୂଚନା ଦେଇନାହାନ୍ତି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଏନେଇ କୌଣସି ଆଧିକାରିକ ସତର୍କ ସୂଚନା ଜାରି କରିନାହିଁ। ତେଣୁ ଏବେଠାରୁ ଭୟଭୀତ ନହୋଇ ପାଣିପାଗ ବିଭାଗର ପରବର୍ତ୍ତୀ ଆକଳନ ଉପରେ ନଜର ରଖିବା ଜରୁରୀ। ସେପଟେ ବାତ୍ୟା ମୁରାସୁ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ କୋରାପୁଟ ଓ ମାଲକାନଗିରିର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ଘଡ଼ଘଡ଼ି ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ପାଣିପାଗ ଆକଳନ ଅନୁସାରେ, ୫ ଓ ୬ ତାରିଖରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ୭ ତାରିଖରୁ ପାଗ ଶୁଖିଲା ରହିବା ସମ୍ଭାବନା ରହିଛି। ଫଳରେ ଦୀପାବଳିରେ ପାଗ ଅନୁକୂଳ ରହିବା ନେଇ ଆଶା ବଢ଼ିଛି।
