Panchayat Election Preparation: ପଞ୍ଚାୟତ ଦଖଲ ପାଇଁ ପାଗ ଭିଡ଼ା, ଗାଁମୁହାଁ ହେଲେଣି ନେତା
ଭଦ୍ରକରେ ପଞ୍ଚାୟତ ନିର୍ବାଚନକୁ ନେଇ ଆଗୁଆ ରାଜନୈତିକ ପାଗଭିଡ଼ା। ଗାଁମୁହାଁ ହେଲେଣି ନେତା, ଚାଲିଛି ପଦଯାତ୍ରା ଓ କର୍ମୀ ସମ୍ମିଳନୀ। କାହା ସପକ୍ଷରେ ଯିବ ଭୋଟରଙ୍କ ମତ?
ଭଦ୍ରକ: ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଆରମ୍ଭ ହେଲାଣି ରାଜନୈତିକ ପାଗଭିଡ଼ା। ନିର୍ବାଚନକୁ ଆଉ କିଛି ମାସ ବାକି ଥିବାବେଳେ ଗାଁମୁହାଁ ହେଲେଣି ବିଭିନ୍ନ ଦଳର ନେତା। କେଉଁଠି ଶକ୍ତି ପ୍ରଦର୍ଶନ ପାଇଁ ବିରାଟ ପଦଯାତ୍ରା ହେଉଛି ତ ଆଉ କେଉଁଠି ଚାଲିଛି କର୍ମୀ ସମ୍ମିଳନୀ। ଧୀରେ ଧୀରେ ଗାଁ ରାଜନୀତିରେ ବଢ଼ିବାରେ ଲାଗିଛି ଉଷ୍ମତା। ଆସନ୍ତା ଏପ୍ରିଲରେ ପଞ୍ଚାୟତ ନିର୍ବାଚନ ହୋଇପାରେ ବୋଲି ଆଭାସ ମିଳିବା ପରେ ରାଜନୈତିକ ଦଳଗୁଡ଼ିକ ନିଜ ନିଜର ସଂଗଠନ ସଜାଡ଼ିବାରେ ଲାଗିପଡ଼ିଛନ୍ତି। ଭଦ୍ରକ ଜିଲ୍ଲାରେ ଏବେଠାରୁ ନିର୍ବାଚନୀ ମାହୋଲ ଜମିବା ଆରମ୍ଭ କରିଛି। ୭ଟି ବ୍ଲକ୍, ୨୧୮ଟି ପଞ୍ଚାୟତ, ୨୮ଟି ଜିଲ୍ଲା ପରିଷଦ ଜୋନ୍ ଏବଂ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରଙ୍କୁ ନେଇ ଗଠିତ ଏହି ଜିଲ୍ଲାରେ ଏଥର ନିର୍ବାଚନକୁ ନେଇ ରାଜନୈତିକ ଦଳଙ୍କ ମଧ୍ୟରେ ଚାଲିଛି ଜୋରଦାର ପ୍ରସ୍ତୁତି। ୨୦୨୨ ପଞ୍ଚାୟତ ନିର୍ବାଚନରେ ୨୮ଟି ଜିଲ୍ଲା ପରିଷଦ ଜୋନ୍ରେ ବିଜେଡି ବିଜୟୀ ହୋଇଥିଲା। ଏଥର କିନ୍ତୁ ରାଜନୈତିକ ସମୀକରଣ କେଉଁ ଦିଗକୁ ଯିବ, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଅନ୍ୟପଟେ କଂଗ୍ରେସ ଓ ବିଜେଡି ନିଜ ନିଜର ପ୍ରସଙ୍ଗକୁ ନେଇ ଭୋଟରଙ୍କ ପାଖକୁ ଯିବାକୁ ପ୍ରସ୍ତୁତି କରୁଛନ୍ତି। ଯୁବ ଓ ମହିଳା ଭୋଟରଙ୍କ ଉପରେ ମଧ୍ୟ ରହିଛି ବିଶେଷ ନଜର। ସେପଟେ ବିଜେପି ନେତାମାନେ ମଧ୍ୟ ଶାସକ ଦଳ ସପକ୍ଷରେ ଜନସମର୍ଥନ ରହିଥିବା ଦାବି କରୁଛନ୍ତି। ତେବେ ଏଥର ଭୋଟରଙ୍କ ମନ କିଏ ଜିଣିବ? ପୁରୁଣା ପ୍ରତିଶ୍ରୁତିକୁ ଭରସା କରିବେ ନା ନୂଆ ଚେହେରାକୁ ସୁଯୋଗ ଦେବେ? ପଞ୍ଚାୟତ ଦଖଲ ପାଇଁ ନେତାଙ୍କ ରଣନୀତି ଭିତରେ ଭୋଟରଙ୍କ ନିଷ୍ପତ୍ତି ହିଁ ନିର୍ଣ୍ଣାୟକ ହେବ।
