Nuakhai Celebration: ନେହେନାରେ ନିଆରା ଢଙ୍ଗରେ ନୁଆଁଖାଇ
ଉତ୍ସବମୁଖର ପଶ୍ଚିମ ଓଡ଼ିଶା। ପରମ୍ପରା ଓ ଭାଇଚାରାର ନିଆରା ଉଦାହରଣ; ଏକାଠି ହେଲେ ଦଣ୍ଡସେନା ପରିବାରର ହଜାରରୁ ଊର୍ଦ୍ଧ୍ୱ ସଦସ୍ୟ।
ନୂଆପଡ଼ା: ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ ପାଇଁ ଉତ୍ସବମୁଖର ସାରା ପଶ୍ଚିମ ଓଡ଼ିଶା। ଏହି ଅବସରରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ନେହେନା ଗାଁରେ ଦଣ୍ଡସେନା କ୍ଷତ୍ରୀୟ ପରିବାର ପକ୍ଷରୁ ନିଆରା ଢଙ୍ଗରେ ନୁଆଁଖାଇ ପାଳନ କରାଯାଇଛି। ପରମ୍ପରା ଅନୁସାରେ ପ୍ରଥମେ ଚାଷ ଜମିରେ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ପରିବାରର ଇଷ୍ଟଦେବୀ ମା’ ମଙ୍ଗଳା ଏବଂ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ନିକଟରେ ପୂଜାର୍ଚ୍ଚନା କରି ନବାନ୍ନ ଅର୍ପଣ କରାଯାଇଥିଲା। ନବାନ୍ନ ଅର୍ପଣ ପରେ ପରିବାରର ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ୱ ସଦସ୍ୟ ଏକାଠି ହୋଇ ନୂଆ ଖାଇଥିଲେ। ଏହାପରେ ବଡ଼ମାନଙ୍କୁ ନୁଆଁଖାଇ ଜୁହାର କରିବା ସହ ପରସ୍ପର ମଧ୍ୟରେ ଭେଟଘାଟ ହୋଇଥିଲା।
ସୂଚନା ଅନୁସାରେ, ଦଣ୍ଡସେନା ସମ୍ପ୍ରଦାୟର ଏହି କ୍ଷତ୍ରୀୟ ପରିବାରଗୁଡ଼ିକ ରାଜାରାଜୁଡ଼ା ଅମଳରୁ ଖଡ଼ିଆଳ ରାଜାଙ୍କ ସୈନ୍ୟବାହିନୀରେ କାମ କରି ଆସୁଥିବା କୁହାଯାଏ। ନେହେନା ଗାଁ ସମେତ ନୂଆପଡ଼ା ଜିଲ୍ଲାର ପୁଟୁପଡ଼ା, ଗମ୍ଭାରୀଗୁଡ଼ା ଭଳି ବିଭିନ୍ନ ଗାଁରେ ଦଣ୍ଡସେନା ପରିବାରର ସଦସ୍ୟମାନେ ବସବାସ କରୁଛନ୍ତି। ନୁଆଁଖାଇ ଆସିଲେ ଦୂରଦୂରାନ୍ତରେ ରହୁଥିଲେ ମଧ୍ୟ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ଏହି ପର୍ବ ପାଳନ କରିଥାନ୍ତି। ଏହି ପରମ୍ପରା ପରିବାର ମଧ୍ୟରେ ଏକତା, ଭାଇଚାରା ଓ ସମ୍ପର୍କର ନିଆରା ଉଦାହରଣ ସୃଷ୍ଟି କରିଛି। ପରିବାର ବଡ଼ ହେଲେ ମତାନ୍ତର ବଢ଼େ ବୋଲି କୁହାଯାଏ। କିନ୍ତୁ ନେହେନା ଗାଁର ଦଣ୍ଡସେନା ପରିବାର ନୁଆଁଖାଇ ଅବସରରେ ଏକାଠି ହୋଇ ସେହି ଧାରଣାକୁ ଭୁଲ୍ ପ୍ରମାଣିତ କରିଛନ୍ତି। ନୂଆ ଧାନର ନବାନ୍ନ ଖାଇବା ସହ ପରିବାରର ସମସ୍ତେ ଏକାଠି ହୋଇ ଉତ୍ସବ ପାଳନ କରିବା ଦୃଶ୍ୟ ଏଠାରେ ଭାଇଚାରାର ବାର୍ତ୍ତା ଦେଇଛି।
