Nora Extortion Case:ସୁକେଶଙ୍କ ମାମଲାରେ ନୋରାଙ୍କୁ ପୁଣି ସମନ୍
୨୦୦ କୋଟି ଟଙ୍କାର ଏହି ଚର୍ଚ୍ଚିତ ଠକେଇ ମାମଲାରେ ଅଭିନେତ୍ରୀ ନୋରା ଫତେହିଙ୍କ ଭୂମିକା ନେଇ ନୁହେଁ, ବରଂ ସାକ୍ଷୀ ଭାବେ ତାଙ୍କ ଉପସ୍ଥିତିକୁ ନେଇ ଏବେ କୋର୍ଟରେ ପ୍ରଶ୍ନ ଉଠିଛି। ପୂର୍ବ ନିର୍ଦ୍ଦେଶ ସତ୍ତ୍ୱେ ହାଜର ନହେବାରୁ ଅଦାଲତ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଅଭିନେତ୍ରୀ ନୋରା ଫତେହିଙ୍କୁ ୨୦୦ କୋଟି ଟଙ୍କାର ଠକେଇ ଓ ଅର୍ଥ ଆଦାୟ ମାମଲାରେ ପୁଣି ସମନ୍ ଜାରି କରିଛନ୍ତି ଦିଲ୍ଲୀର ଏକ ଅଦାଲତ। ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ସହ ଜଡ଼ିତ ଏହି ମାମଲାରେ ସାକ୍ଷୀ ଭାବେ ନୋରାଙ୍କୁ ନଭେମ୍ବର ୬ ତାରିଖରେ ହାଜର ହୋଇ ବୟାନ ରେକର୍ଡ କରାଇବାକୁ କୁହାଯାଇଛି। ସୋମବାର ନୋରା ଅଦାଲତରେ ହାଜର ନହେବା ପରେ ତାଙ୍କ ଓକିଲ ଉପସ୍ଥିତିରୁ ଛାଡ଼ ପାଇଁ ଆବେଦନ କରିଥିଲେ। ଏହାକୁ ନେଇ ଅତିରିକ୍ତ ସେସନ୍ସ ଜଜ୍ ଗଗନଦୀପ ସିଂହ ଅସନ୍ତୋଷ ପ୍ରକାଶ କରିଥିଲେ। ଜଜ୍ କହିଥିଲେ, “ଏହାକୁ ହାଲୁକା ଭାବେ ନିଆଯାଇପାରିବ ନାହିଁ। ଜଣେ ସାକ୍ଷୀ ଭାବେ ତାଙ୍କୁ ଅଦାଲତରେ ଉପସ୍ଥିତ ରହିବା ଉଚିତ ଥିଲା। ଅଦାଲତକୁ ହାଲୁକା ଭାବେ ନିଅନ୍ତୁ ନାହିଁ।”
ଦିଲ୍ଲୀ ପୋଲିସ କୋର୍ଟକୁ ଜଣାଇଛି ଯେ, ଅକ୍ଟୋବର ୨୨ରେ ନୋରାଙ୍କୁ ଇମେଲ୍ ଓ ହ୍ୱାଟ୍ସଆପ୍ ଜରିଆରେ ନୋଟିସ୍ ପଠାଯାଇଥିଲା। ଫୋନ୍ ଯୋଗେ ମଧ୍ୟ ଯୋଗାଯୋଗ ଉଦ୍ୟମ ହୋଇଥିଲା, କିନ୍ତୁ ତାଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନଥିଲା। ଅକ୍ଟୋବର ୧୬ରେ କୋର୍ଟ ନଭେମ୍ବର ୨ରେ ହାଜର ହେବାକୁ ପ୍ରଥମ ସମନ୍ ଜାରି କରିଥିଲେ। ତୃତୀୟ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ରେ ନୋରାଙ୍କ ନାମ ତୃତୀୟ ସାକ୍ଷୀ ଭାବେ ରହିଛି। ଏହି ମାମଲାରେ ନୋରାଙ୍କ ନାମ ପ୍ରଥମ ଥର ପାଇଁ ଆସିନାହିଁ। ୨୦୨୧ରେ ଇଡି ତାଙ୍କୁ ସୁକେଶ ଓ ତାଙ୍କ ପତ୍ନୀ ଲୀନା ପାଲୋସଙ୍କ ସହ ସମ୍ପର୍କ ନେଇ ପଚରାଉଚରା କରିଥିଲା। ପରେ ୨୦୨୨ରେ ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା ମଧ୍ୟ ତାଙ୍କ ବୟାନ ରେକର୍ଡ କରିଥିଲା। ସେତେବେଳେ ନୋରା ସୁକେଶଙ୍କ ସହ ନିଜର ଯୋଗାଯୋଗ ତାଙ୍କ ପତ୍ନୀଙ୍କ ମାଧ୍ୟମରେ ହୋଇଥିବା କହିଥିଲେ। ପରେ ତାଙ୍କୁ ମାମଲାରେ ସାକ୍ଷୀ ଭାବେ ରଖାଯାଇଥିଲା। ପୋଲିସର ଅଭିଯୋଗ ଅନୁସାରେ, ରୋହିଣୀ ଜେଲ୍ରେ ଥିବା ସମୟରେ ସୁକେଶ ନିଜକୁ କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଭାବେ ପରିଚୟ ଦେଇଥିଲେ। ଫୋର୍ଟିସ୍ ହେଲ୍ଥକେୟାରର ପୂର୍ବତନ ପ୍ରମୋଟର ଶିବିନ୍ଦର ମୋହନ ସିଂହଙ୍କ ପତ୍ନୀ ଅଦିତି ସିଂହଙ୍କୁ ଫୋନ୍ କରି ସ୍ୱାମୀଙ୍କୁ ଜାମିନ୍ରେ ମୁକ୍ତ କରାଇବାର ପ୍ରତିଶ୍ରୁତି ଦେଇଥିଲେ। ଏହି ଆଳରେ ତାଙ୍କଠାରୁ ପ୍ରାୟ ୨୦୦ କୋଟି ଟଙ୍କା ନେଇଥିବା ପୋଲିସ ଅଭିଯୋଗ କରିଛି। ଏହି ମାମଲାରେ ସୁକେଶ, ତାଙ୍କ ପତ୍ନୀ ଲୀନା ପାଲୋସ ଓ ଅନ୍ୟମାନଙ୍କ ବିରୋଧରେ ଆଇପିସିର ଧାରା ୧୭୦, ୩୮୪ ଓ ୩୮୬ ସହ ମହାରାଷ୍ଟ୍ର କଣ୍ଟ୍ରୋଲ୍ ଅଫ୍ ଅର୍ଗାନାଇଜ୍ଡ କ୍ରାଇମ୍ ଆକ୍ଟ (MCOCA) ଅନୁଯାୟୀ ଅଭିଯୋଗ ଗଠନ ହୋଇଛି। ଏବେ ମାମଲାରେ ଅଭିଯୋଜନ ପକ୍ଷର ସାକ୍ଷ୍ୟ ଗ୍ରହଣ ଚାଲିଛି। ନଭେମ୍ବର ୬ରେ ନୋରାଙ୍କ ଉପସ୍ଥିତି ଉପରେ ନଜର ରହିବ।
