Jail DG Scandal:ଜେଲ୍ ଡିଜିଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା
ଜେଲ୍ ବିଭାଗର ପୂର୍ବତନ ଡିଜି ସୁଶାନ୍ତ ନାଥଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ପୂର୍ବତନ ଚୌଦ୍ୱାର ଜେଲର ସନ୍ତୋଷିନୀ ଜେନାଙ୍କ ଏତଲା ପରେ ତିନୋଟି ଧାରାରେ ମାମଲା ରୁଜୁ ହୋଇଛି।
ଚୌଦ୍ୱାର:ଓଡ଼ିଶାର ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ଯୌନ ନିର୍ଯାତନା, ହତ୍ୟା ଧମକ ଓ ସଂଘବଦ୍ଧ ଭାବେ ଅପରାଧ ଘଟାଇବା ଭଳି ସଂଗୀନ ଅଭିଯୋଗ ଆସିଛି। ଏନେଇ ପୂର୍ବତନ ଚୌଦ୍ୱାର ଜେଲର ସନ୍ତୋଷିନୀ ଜେନା ଚୌଦ୍ୱାର ଥାନାରେ ଏତଲା ଦେଇଛନ୍ତି।ସନ୍ତୋଷିନୀଙ୍କ ଅଭିଯୋଗ ଅନୁସାରେ, କର୍ମକ୍ଷେତ୍ରରେ ତାଙ୍କୁ ଯୌନ ନିର୍ଯାତନା ଦିଆଯିବା ସହ ହତ୍ୟା ଧମକ ମଧ୍ୟ ଦିଆଯାଇଥିଲା। ଏହି ଅଭିଯୋଗ ଆଧାରରେ ପୋଲିସ BNSର ଧାରା ୭୫(୨), ୩୫୧(୨) ଓ ୩(୫)ରେ ମାମଲା ରୁଜୁ କରିଛି। ଏତଲା ପରେ କମିଶନରେଟ୍ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପଟେ, ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ସୁଶାନ୍ତ ନାଥଙ୍କୁ ଜେଲ୍ ଡିଜି ପଦରୁ ହଟାଇ ଦେଇଛନ୍ତି। ତାଙ୍କୁ ସରକାରଙ୍କ OSD ଭାବେ ନିଯୁକ୍ତି ଦିଆଯାଇଛି। ଏହି ମାମଲାରେ ଏତଲାକାରୀ ସନ୍ତୋଷିନୀ ଜେନାଙ୍କ ଓକିଲ ବିନୋଦ ଦାସ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହାର ତଦନ୍ତ କ୍ରାଇମବ୍ରାଞ୍ଚ ଭଳି ଏକ ସଂସ୍ଥାକୁ ହସ୍ତାନ୍ତର କରାଗଲେ ଭଲ ହେବ ବୋଲି ସେ କହିଛନ୍ତି। ତାଙ୍କ କହିବା ଅନୁସାରେ, ସନ୍ତୋଷିନୀ ପୂର୍ବରୁ ମଧ୍ୟ ବିଭିନ୍ନ ଫୋରମରେ ଏହି ଅଭିଯୋଗ ଉଠାଇଥିଲେ। ଏବେ ଥାନାରେ ମାମଲା ରୁଜୁ ହେବା ପରେ ପୂର୍ବତନ ଜେଲ୍ ଡିଜିଙ୍କ ଅଡ଼ୁଆ ବଢ଼ିପାରେ ବୋଲି ଆଇନଜୀବୀ କହିଛନ୍ତି।
