Udala Car Accident:ବିଜେପି ନେତାଙ୍କ କାର୍ ଧକ୍କାରେ ୮ ଗୁରୁତର
ବାରିପଦାରୁ ଦଳୀୟ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ଉଦଳାରେ ଭୟଙ୍କର ଦୁର୍ଘଟଣା। ବିଜେପି ନେତାଙ୍କ କାର୍ ଧକ୍କାରେ ଦୁଇଟି ଯାତ୍ରୀବାହୀ ଅଟୋ ଭାଙ୍ଗିରୁଜି ଯାଇଛି। ଆହତଙ୍କ ମଧ୍ୟରେ ଅଛନ୍ତି ୫ ମହିଳା।
ମୟୂରଭଞ୍ଜ:ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଭୟଙ୍କର ସଡ଼କ ଦୁର୍ଘଟଣା। ବିଜେପି ନେତାଙ୍କ କାର୍ ଧକ୍କାରେ ଦୁଇଟି ବ୍ୟାଟେରୀ ଚାଳିତ ଯାତ୍ରୀବାହୀ ଅଟୋ ସମ୍ପୂର୍ଣ୍ଣ ଚୂରମାର୍ ହୋଇଯାଇଛି। ଏହି ଦୁର୍ଘଟଣାରେ ୫ ଜଣ ମହିଳାଙ୍କ ସମେତ ମୋଟ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ବାରିପଦାରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିଲେ ବିଜେପିର ଉଦଳା ନିର୍ବାଚନମଣ୍ଡଳୀ ସାଧାରଣ ସମ୍ପାଦକ। ଏହି ସମୟରେ ଆଜି ଅପରାହ୍ନରେ ଉଦଳା ଥାନା ଅନ୍ତର୍ଗତ ୧୯ ନମ୍ବର ରାଜ୍ୟ ରାଜପଥର ବିସିପୁରସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଥିଲା। ଦ୍ରୁତଗତିରେ ଆସୁଥିବା କାର୍ଟି ସମ୍ମୁଖ ପଟୁ ଆସୁଥିବା ଦୁଇଟି ବ୍ୟାଟେରୀ ଚାଳିତ ଯାତ୍ରୀବାହୀ ଅଟୋକୁ ଜୋରଦାର ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ ଦୁଇଟି ଅଟୋ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ କାର୍ର ସମ୍ମୁଖ ଭାଗ ମଧ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଆହତ ୮ ଜଣଙ୍କୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାକୁ ପଠାଯାଇଛି। ଅନ୍ୟପଟେ ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଜବତ କରିଛି। ଏହାସହ ଦୁର୍ଘଟଣାର କାରଣ ନେଇ ତଦନ୍ତ ଜାରି ରହିଛି।
