GSI Survey:ଲାଞ୍ଜିଗଡ଼ରେ GSI ସର୍ଭେକୁ ତୀବ୍ର ବିରୋଧ
ଗାଁରେ ପହଞ୍ଚିଥିଲା GSI ଟିମ୍, ହେଲେ ସର୍ଭେକୁ ନେଇ ଏକାଠି ହୋଇଗଲେ ଗ୍ରାମବାସୀ। ନିଜ ଚାଷଜମି, ଜଙ୍ଗଲ ଓ ପାରମ୍ପରିକ ଅଧିକାର ପ୍ରଭାବିତ ହେବା ଆଶଙ୍କାରେ ସର୍ଭେକୁ ବିରୋଧ କରିଛନ୍ତି ଆଦିବାସୀ।
କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ Geological Survey of India (GSI) ଟିମ୍ର ସର୍ଭେକୁ ନେଇ ତୀବ୍ର ଅସନ୍ତୋଷ। ଭଡ଼ାଙ୍ଗପଦର ପଞ୍ଚାୟତ ଅନ୍ତର୍ଗତ ରାଣୀପୁକୋଟା କୋଲଗାଁରେ ସର୍ଭେ କରିବାକୁ ପହଞ୍ଚିଥିବା ଟିମ୍କୁ ଗ୍ରାମବାସୀଙ୍କ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ନିଜ ଜମି, ଜୀବିକା ଓ ପାରମ୍ପରିକ ଅଧିକାରର ସୁରକ୍ଷାକୁ ନେଇ ଚିନ୍ତିତ ଗ୍ରାମବାସୀ ସର୍ଭେ କରାଇ ନଦେବାକୁ ଅଡ଼ି ବସିଛନ୍ତି।ସୂଚନା ଅନୁସାରେ, GSI ଟିମ୍ ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ଏକାଠି ହୋଇ ସର୍ଭେକୁ ବିରୋଧ କରିଥିଲେ। ସର୍ଭେର ପ୍ରକୃତ ଉଦ୍ଦେଶ୍ୟ କ’ଣ ଏବଂ ଏହା ଦ୍ୱାରା ଆଗାମୀ ଦିନରେ ସେମାନଙ୍କ ଜମି ଓ ଜୀବିକା ଉପରେ କି ପ୍ରଭାବ ପଡ଼ିବ, ସେନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି।ଏହି ଅଞ୍ଚଳର ଅଧିକାଂଶ ପରିବାର ଚାଷବାସ ଉପରେ ନିର୍ଭରଶୀଳ। ମୁଗ, ବିରି ସମେତ ବିଭିନ୍ନ ଡାଲିଜାତୀୟ ଫସଲ ଉତ୍ପାଦନ କରି ସେମାନେ ପରିବାର ଚଳାନ୍ତି। ଏଭଳି ସ୍ଥିତିରେ ଚାଷଜମି ସହ ଜଙ୍ଗଲ ଓ ପାରମ୍ପରିକ ଅଧିକାର ପ୍ରଭାବିତ ହେବା ଆଶଙ୍କା ସେମାନଙ୍କ ଚିନ୍ତା ବଢ଼ାଇଛି। ଗ୍ରାମବାସୀଙ୍କ କହିବା ଅନୁସାରେ, ସର୍ଭେର ଉଦ୍ଦେଶ୍ୟ ଓ ଏହା ସମ୍ପର୍କିତ ଆବଶ୍ୟକ ତଥ୍ୟ ପ୍ରଥମେ ସ୍ପଷ୍ଟ କରାଯିବା ଦରକାର। ସେମାନଙ୍କୁ ଅବଗତ ନକରାଇ କୌଣସି କାର୍ଯ୍ୟ ନକରିବାକୁ ଦାବି କରିଛନ୍ତି। ଅନ୍ୟପଟେ GSI ସର୍ଭେର ପ୍ରକୃତ ଉଦ୍ଦେଶ୍ୟ ଏବଂ ଗ୍ରାମବାସୀଙ୍କ ଆଶଙ୍କା ଦୂର କରିବାକୁ ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଉପରେ ଏବେ ନଜର ରହିଛି।
