Cyclone Murasu:ବାତ୍ୟା ‘ମୁରାସୁ’ ପାଇଁ କଳାହାଣ୍ଡି ପ୍ରଶାସନର ପ୍ରସ୍ତୁତି
ବାତ୍ୟା ‘ମୁରାସୁ’କୁ ନେଇ ଦକ୍ଷିଣ ଓଡ଼ିଶାରେ ବଢ଼ିବ ବର୍ଷାର ପ୍ରଭାବ। ସମ୍ଭାବ୍ୟ ବିପଦକୁ ଆଖି ଆଗରେ ରଖି କଳାହାଣ୍ଡିରେ ପ୍ରଶାସନର ବ୍ୟାପକ ପ୍ରସ୍ତୁତି। ଛୁଟି ବାତିଲଠାରୁ ଆରମ୍ଭ କରି ଖାଦ୍ୟ ଓ ଚିକିତ୍ସା ବ୍ୟବସ୍ଥା ଯାଏଁ ସବୁକିଛିର ସମୀକ୍ଷା ହୋଇଛି।

କଳାହାଣ୍ଡି:ବାତ୍ୟା ‘ମୁରାସୁ’ର ସମ୍ଭାବ୍ୟ ପ୍ରଭାବକୁ ନେଇ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୩ ତାରିଖରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ବଢ଼ିବା ସହ ୩ ଓ ୪ ତାରିଖରେ ବିଭିନ୍ନ ସ୍ଥାନରେ ପବନ ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଓସ୍ୱାନ ଗୃହରେ ଏକ ଆଭାସୀ ସମୀକ୍ଷା ବୈଠକ ହୋଇଛି।ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ ଓ ତହସିଲଦାରଙ୍କ ସହ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା। ଜରୁରୀକାଳୀନ ପରିସ୍ଥିତିର ସଫଳ ମୁକାବିଲା ପାଇଁ ସମସ୍ତ ବିଭାଗକୁ ସଜାଗ ରହିବା ସହ ନିଜ ନିଜ କର୍ମସ୍ଥଳରେ ଉପସ୍ଥିତ ରହି ଦାୟିତ୍ୱ ତୁଲାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପୂର୍ବ ଅନୁମତି ବିନା କେହି ମୁଖ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ।ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ନଦୀକୂଳ ଗ୍ରାମଗୁଡ଼ିକରେ ମାଇକ୍ ଯୋଗେ ସତର୍କତା ପ୍ରଚାର କରାଯିବ। ଜିଲ୍ଲା, ବ୍ଲକ, ତହସିଲ ଓ ପୌରାଞ୍ଚଳ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲା ରହିବ। ଭୂସ୍ଖଳନ ଆଶଙ୍କା ଥିବା ଥୁଆମୂଳ ରାମପୁର, ଲାଞ୍ଜିଗଡ଼, ଏମ୍. ରାମପୁର ଓ କୋକସରା ବ୍ଲକରେ ଆଗୁଆ ବ୍ୟବସ୍ଥା କରାଯାଇଛି। ଏଥିସହ ୨୮ଟି ସ୍କୁଲରେ ଅସ୍ଥାୟୀ ଆଶ୍ରୟ କେନ୍ଦ୍ର ଏବଂ ବେଲଖଣ୍ଡି, ରାସଡୁମେର, ବାଲିଛଡ଼ା ଓ କୁଟେନଗାଁରେ ବହୁମୁଖୀ ବନ୍ୟା ଆଶ୍ରୟ କେନ୍ଦ୍ରର ବ୍ୟବସ୍ଥା ହୋଇଛି।ସେହିପରି ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯାଇଛି। ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ୧୯୦୦ଟି ସାପ କାମୁଡ଼ା ଇଞ୍ଜେକ୍ସନ ମହଜୁଦ ରହିଛି। ଏଥିସହ ୧୭୬୬ଟି ପଲିଥିନ୍ ରୋଲ୍, ଯଥେଷ୍ଟ ପରିମାଣର ଚୁଡ଼ା, ଗୁଡ଼ ଓ ବିସ୍କୁଟ ମହଜୁଦ ରଖାଯାଇଛି। ଆବଶ୍ୟକ ପଡ଼ିଲେ ରନ୍ଧା ଖାଦ୍ୟ ଯୋଗାଇବାକୁ ମଧ୍ୟ ବ୍ୟବସ୍ଥା ହୋଇଛି।ଆସନ୍ତା ୩ ନଭେମ୍ବରରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି।ବାତ୍ୟା ମୁକାବିଲା ପାଇଁ ବ୍ଲକ୍ୱାରୀ ନୋଡାଲ ଅଧିକାରୀ ମଧ୍ୟ ନିଯୁକ୍ତ ହୋଇଛନ୍ତି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଙ୍କୁ ଗୋଲାମୁଣ୍ଡା ଓ ଧର୍ମଗଡ଼, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ କଲମପୁର ଓ ଜୁନାଗଡ଼, ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ କୋକସରା ଓ ଜୟପାଟଣା ଏବଂ ଭବାନୀପାଟଣା ଉପଜିଲ୍ଲାପାଳଙ୍କୁ କେସିଙ୍ଗା ବ୍ଲକ୍ର ଦାୟିତ୍ୱ ଦିଆଯାଇଛି।ଏଥିସହ ରାସ୍ତା, ପୋଲ, ବିଦ୍ୟୁତ୍, ପାନୀୟ ଜଳ, ଟେଲିକମ୍, ସ୍ୱାସ୍ଥ୍ୟ, ଅଗ୍ନିଶମ ଓ ଖାଦ୍ୟ ଯୋଗାଣ ବିଭାଗକୁ ନିଜ ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବାକୁ କୁହାଯାଇଛି। ସମ୍ଭାବ୍ୟ ପ୍ରଭାବିତ ଲୋକଙ୍କୁ ଆଗୁଆ ସ୍ଥାନାନ୍ତର କରିବା ସହ ଏନେଇ ତୁରନ୍ତ ରିପୋର୍ଟ ଦେବାକୁ ସମସ୍ତ ବିଡିଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
